ଅର୍ଜୁନ ପଚାରିଲେ, "ଏବେ ମୋର ସନ୍ଦେହ ହେଉଛି ଯେ, କର୍ମ ଯୋଗ (କର୍ମାନୁଷ୍ଠାନ) ଓ କର୍ମସନ୍ନ୍ୟାସ (କର୍ମ ତ୍ୟାଗ) ମଧ୍ୟରେ କିଏ ଅଧିକ ଉତ୍ତମ Ι ଶ୍ରୀକୃଷ୍ଣ କହିଲେ, "କର୍ମତ୍ୟାଗ କରି ସନ୍ୟାସୀ ହେବା ଅପେକ୍ଷା କର୍ମ କରିବା ନିଶ୍ଚିତ ଶ୍ରେୟସ୍କର, କିନ୍ତୁ ଏହି କର୍ମ ଆକାଂକ୍ଷା ରହିତ ହୋଇଥିବା ଆବଶ୍ୟକ Ι ଏପରି କର୍ମ କରୁଥିବା କର୍ମଯୋଗ ଓ କର୍ମସନ୍ୟାସ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ, କିନ୍ତୁ କର୍ମ ବିନା କେବଳ ସନ୍ନ୍ୟାସ ଦୁଃଖପ୍ରାପ୍ତିର କାରଣ ହୁଏ Ι ଅନାସକ୍ତ ବ୍ୟକ୍ତି ଦର୍ଶନ, ଶ୍ରବଣ, ସ୍ପର୍ଶ, ଘ୍ରାଣ ଆଦି କର୍ମ କରୁଥିଲେ ସୁଦ୍ଧା ସେ ଏ ସବୁ ଆପେ ଆପେ ହେଉଛି ଓ ମୁଁ କିଛି କରୁନାହିଁ ବୋଲି ଜ୍ଞାନ କରନ୍ତି Ι ତେଣୁ ପଦ୍ମପତ୍ରରେ ଜଳ ଭଳି ପାପ ଏମାନଙ୍କୁ ସ୍ପର୍ଶ କରିପାରେ ନାହିଁ Ι ବ୍ରହ୍ମବିଦ୍ ପଣ୍ଡିତମାନେ ବ୍ରାହ୍ମଣ, ଚଣ୍ଡାଳ, ଗାଭୀ, ଗଜ କିମ୍ବା ଶ୍ଵାନ ମଧ୍ୟରେ ପ୍ରଭେଦ ଦେଖନ୍ତି ନାହିଁ Ι ବ୍ରହ୍ମ ସର୍ବତ୍ର ସମଭାବରେ ଅବସ୍ଥିତ Ι ଏଣୁ ସମଭାବ ପୋଷଣ କରୁଥିବା ବ୍ୟକ୍ତି ସୁଖୀ ହୁଅନ୍ତି Ι ହେ ବିବତ୍ସ, ଯଦି ବ୍ୟକ୍ତି ବାହ୍ୟ ସ୍ପର୍ଶ ଓ ବାହ୍ୟ ଇନ୍ଦ୍ରିୟ ସୁଖରେ ମୋହିତ ହୁଏ, ସେ ଅନ୍ତର ମଧ୍ୟରେ ସାତ୍ତ୍ଵିକ ସୁଖ ପାଇ ପାରେନାହିଁ Ι ମନକୁ ବା ଆତ୍ମାକୁ ଜୟ କରିଥିବା ବ୍ୟକ୍ତି ପ୍ରଶାନ୍ତ ଚିତ୍ତ ଅଟେ Ι ସେ ସୁଖ ଦୁଃଖ, ମାନ ଅପମାନ, ଶତ୍ରୁ ମିତ୍ର ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି Ι ଧ୍ୟାନ ବା ଯୋଗ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅଛି Ι ସେହି ପ୍ରକ୍ରିୟାରେ ମନକୁ ସମାହିତ କରି ନିର୍ବାଣ ପ୍ରାପ୍ତ ହୁଅନ୍ତି Ι ଏହି ଯୋଗ ବା ସମାଧି ଅତ୍ୟଧିକ ଭୋଜନ ଓ ଶୟନ କିମ୍ବା ଅତ୍ୟଳ୍ପ ଭୋଜନ ଓ ଶୟନ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ସମ୍ଭବ ନୁହେଁ Ι ଚିତ୍ତକୁ ନିଶ୍ଚଳ ରଖି ବିଶୁଦ୍ଧ ମନ ଆତ୍ମଦର୍ଶନ କରିବାକୁ ଯୋଗ କୁହାଯାଏ Ι ମନ ଚଞ୍ଚଳ ଓ ଅସ୍ଥିର Ι ବିଭିନ୍ନ ଦିଗକୁ ଗତି କରୁଥିବା ଏହି ମନକୁ ସବୁ ଆଡୁ ଫେରାଇ ଆଣି ଆତ୍ମାରେ ଯୁକ୍ତ କରି ତାକୁ ସ୍ଥିର କରିବ Ι ସର୍ଵଭୂତରେ ସମଦୃଷ୍ଟି ରଖିବ ଓ ଆତ୍ମାକୁ ସର୍ବଭୂତରେ ଦର୍ଶନ କରିବ ଏବଂ ଆତ୍ମାରେ ସକଳ ଭୂତଙ୍କ ଦର୍ଶନ କରିବ Ι” ଅର୍ଜୁନ ଏହି ସର୍ବ ଭୂତରେ ସମ ଜ୍ଞାନ ସମ୍ପର୍କରେ ଭଲ ଭାବରେ ବୁଝାଇବାକୁ ଅନୁରୋଧ କଲେ Ι ସେ କହିଲେ, "ଇନ୍ଦ୍ରିୟମାନଙ୍କୁ ସଂଯତ ରଖିବା ଏତେ ସହଜ ନୁହେଁ Ι” ମାଧବ କହିଲେ, " ହେ ପାର୍ଥ, ଅଭ୍ୟାସ ଦ୍ୱାରା ଏବଂ ବୈରାଗ୍ୟ ଆଚରଣ ଦ୍ୱାରା ମନକୁ ଆୟତ୍ତ କରାଯାଇପାରେ Ι ଅସଂଯତ ମନ ସହିତ କେହି ଯୋଗ କରିପାରେ ନାହିଁ Ι "ଅର୍ଜୁନ ଯୋଗଭ୍ରଷ୍ଟ ବ୍ୟକ୍ତିର ପରିଣାମ ବିଷୟରେ ଜାଣିବାକୁ ଚାହିଁବାରୁ ନାରାୟଣ କହିଲେ, "ଯୋଗରୁ ଭ୍ରଷ୍ଟ ହୋଇଥିବା ବ୍ୟକ୍ତି କେବେ ବି ଦୁର୍ଗତି ପ୍ରାପ୍ତ ହୁଏ ନାହିଁ Ι ପର ଜନ୍ମରେ ସେ ଧନଵାନ କିମ୍ବା ବୁଦ୍ଧିମାନ ଲୋକଙ୍କ ଗୃହରେ ଜନ୍ମ ଗ୍ରହଣ କରେ ଓ ପୂର୍ବ ଅଭ୍ୟାସ ବଶରୁ ମୋକ୍ଷ ବିଷୟରେ ଅଧିକ ଯତ୍ନ କରେ Ι ହେ କୁନ୍ତୀନନ୍ଦନ,ତପସ୍ଵୀମାନଙ୍କଠାରୁ, ଜ୍ଞାନୀମାନଙ୍କଠାରୁ ଓ କର୍ମୀମାନଙ୍କଠାରୁ ମଧ୍ୟ ଯୋଗୀ ଶ୍ରେଷ୍ଠ ଅଟନ୍ତି Ι ଯେଉଁ ବ୍ୟକ୍ତି ମୋଠାରେ ଅନ୍ତରାତ୍ମା ନିହିତ କରି ଓ ଶ୍ରଦ୍ଧାବାନ୍ ହୋଇ ମୋର ଭଜନ କରେ ସେ ଶ୍ରେଷ୍ଠ ଯୋଗୀ ଅଟେ Ι ଶ୍ରୀହରି କହିଲେ , "ହେ ମଧ୍ୟମ ପାଣ୍ଡବ, ପ୍ରକୃତି ଅପରା ଓ ପରା ଦୁଇ ଭାଗରେ ବିଭକ୍ତ Ι ଅପରା ପ୍ରକୃତି ଭୂମି, ଜଳ, ଅନଳ, ବାୟୁ, ଆକାଶ, ମନ ବୁଦ୍ଧି ଓ ଅହଂକାର, ଏହି ଆଠ ପ୍ରକାରର Ι ଏସବୁ ନିକୃଷ୍ଟ ପ୍ରକୃତି Ι ପରା ବା ଉତ୍କୃଷ୍ଟ ପ୍ରକୃତି ହିଁ ଏ ଜଗତକୁ ଧାରଣ କରିଅଛି Ι ଏହି ଦୁଇ ପ୍ରକାର ପ୍ରକୃତି ରୁ ସ୍ଥାବର ଜଙ୍ଗମ ଆଦି ଜାତ ହୋଇଛନ୍ତି Ι ହେ ଧନଞ୍ଜୟ, ମୋ ଉପରେ ବା ମୋ ଠାରୁ ଶ୍ରେଷ୍ଠ କିଛି ନାହିଁ Ι ମୁଁ ବୁଦ୍ଧିମାନମାନଙ୍କର ବୁଦ୍ଧି ଓ ତେଜସ୍ୱୀମାନଙ୍କର ତେଜ ସ୍ୱରୂପ Ι ସାତ୍ତ୍ଵିକ, ରାଜସିକ ଓ ତାମସିକ ଗୁଣମାନେ ମୋ ଠାରୁ ଉତ୍ପନ୍ନ ହେଲେ ମଧ୍ୟ ମୁଁ ସେମାନଙ୍କର ଅଧୀନ ନୁହେଁ Ι ମୋତେ ଚାରିପ୍ରକାର ଲୋକ ଭଜନ କରନ୍ତି Ι ଆର୍ତ୍ତ, ଜିଜ୍ଞାସୁ (ଆତ୍ମଜ୍ଞାନ ଅଭିଳାଷୀ ) ,ଅର୍ଥାର୍ଥୀ (ଧନ ଆଶା କରୁଥିବା ବ୍ୟକ୍ତି ) ଓ ଜ୍ଞାନୀ ବା ତତ୍ତ୍ୱଜ୍ଞ Ι ଏମାନଙ୍କ ମଧ୍ୟରେ ଜ୍ଞାନୀମାନେ ହିଁ ମୋର ପ୍ରିୟ ଅଟନ୍ତି Ιମରଣ ସମୟରେ ଅବିଚଳିତ ମନରେ ଭକ୍ତିଯୁକ୍ତ ହୋଇ ଦୁଇ ଭ୍ରୂଲତା ମଧ୍ୟରେ ପ୍ରାଣ ବାୟୁକୁ ସମାବେଶ କରି ଯିଏ ଯୋଗ କରେ ସେ ମୋତେ ପ୍ରାପ୍ତ ହୁଏ Ι ଓଁ ରୂପକ ଅକ୍ଷର ବ୍ରହ୍ମକୁ ଉଚ୍ଚାରଣ କରି ମୋତେ ସ୍ମରଣ ପୂର୍ବକ କଳେବର ପରିତ୍ୟାଗ କଲେ ବ୍ୟକ୍ତି ପରମ ଗତି ପ୍ରାପ୍ତ ହୁଏ Ι "ମାମୂପେତ୍ୟ ତୁ କୌନ୍ତେୟ, ପୁନର୍ଜନ୍ମ ନ ବିଦ୍ୟତେ" Ι ମୋଠାରେ ଲୀନ ହେଲା ପରେ ଆଉ ପୁନର୍ଜନ୍ମ ହୁଏ ନାହିଁ Ι |
IMPORTANT DOCUMENTS.
▼
No comments:
Post a Comment
Note: only a member of this blog may post a comment.