ଅର୍ଜୁନ ପଚାରିଲେ, “ହେ ହୃଷୀକେଶ, ତ୍ୟାଗ ଓ ସନ୍ନ୍ୟାସ ମଧ୍ୟରେ ପାର୍ଥକ୍ୟ କଣ ? ଶ୍ରୀମଧୁସୂଦନ, କେଶୀ ନିସୂଦନ,ଦୀନବନ୍ଧୁ, ଦୈତ୍ୟାରି, ଜଗତ୍ପତି, ଜଗନ୍ନାଥ କହିଲେ,"ହେ ପାର୍ଥ, କାମ୍ୟ କର୍ମମାନଙ୍କର ତ୍ୟାଗକୁ ସନ୍ନ୍ୟାସ ଓ କର୍ମଫଳ ତ୍ୟାଗକୁ ତ୍ୟାଗ ବୋଲି କହନ୍ତି Ι କିନ୍ତୁ ଯଜ୍ଞ, ଦାନ, ତପସ୍ୟାଦି କର୍ମ ତ୍ୟାଗ କରିବା ଉଚିତ ନୁହେଁ Ι ଏ ସବୁ କର୍ମ ଜ୍ଞାନୀମାନଙ୍କର ଚିତ୍ତ ଶୁଦ୍ଧିରେ ସହାୟକ ହୋଇଥାଏ Ι ଏହିସବୁ କର୍ମ ମଧ୍ୟ କଲାବେଳେ ଆସକ୍ତିରୁ ଦୂରରେ ରହିବା ଓ କର୍ମଫଳ କାମନା ନ କରିବା ଉଚିତ Ι ଏ ପ୍ରକାର ତ୍ୟାଗ ସାତ୍ତ୍ଵିକ Ι କର୍ମ କରିବାକୁ କ୍ଳେଶ ମନେକରି, ପରିଶ୍ରମକୁ ଭୟ କରି ଯେଉଁମାନେ କର୍ମ ତ୍ୟାଗ କରନ୍ତି ସେମାନଙ୍କର ତ୍ୟାଗକୁ ରାଜସିକ ତ୍ୟାଗ ଓ ମୋହ ବଶତଃ ଯେଉଁ କର୍ମ ତ୍ୟାଗ କରାଯାଏ ତାକୁ ତାମସିକ ତ୍ୟାଗ କହନ୍ତି Ι କୌଣସି ଶରୀରଧାରୀ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ କର୍ମରହିତ ହେବା ଅସମ୍ଭବ Ι କିନ୍ତୁ ଉଚିତ କର୍ମ କରିବା ସଙ୍ଗେ ସଙ୍ଗେ ଯିଏ କର୍ମ ଫଳ ତ୍ୟାଗ କରିପାରେ, ସିଏ ହିଁ ପ୍ରକୃତ ତ୍ୟାଗୀ Ι ମୃତ୍ୟୁ ପରେ ପାପ, ପୂଣ୍ୟ ଓ ମିଶ୍ରିତ; ଏହିପରି ତିନି ପ୍ରକାର ଫଳ ମିଳିଥାଏ, କିନ୍ତୁ ତ୍ୟାଗୀମାନଙ୍କୁ ଏପରି କୌଣସି ଫଳ ଭୋଗ କରିବାକୁ ପଡେନାହିଁ Ι କୌଣସି କର୍ମ ସିଦ୍ଧିରେ ଅଧିଷ୍ଠାନ, କର୍ତ୍ତା, କରଣ, ଚେଷ୍ଟା ଓ ଦୈବ ;ଏହି ପାଞ୍ଚ ପ୍ରକାର କାରଣ ଥାଏ Ι ସମସ୍ତ କର୍ମ, ତାହା ନ୍ୟାୟ ହେଉ ବା ଅନ୍ୟାୟ ହେଉ, ତା ମୂଳରେ ଏହି ପାଞ୍ଚଟି ହେତୁ ଥାଏ Ι ହେ ଗାଣ୍ଡିବୀ," ଜ୍ଞାନ ମଧ୍ୟ ସତ୍ତ୍ଵ,ରଜ, ତମ ଅନୁସାରେ ତ୍ରିବିଧ ହୋଇଥାଏ Ι ସମସ୍ତଙ୍କଠାରେ ଏକ ଅବିଭକ୍ତ, ଅବିନାଶୀ ଓ ନିର୍ବିକାର ସତ୍ତା ଦେଖୁଥିବା ବ୍ୟକ୍ତିର ଜ୍ଞାନକୁ ସାତ୍ତ୍ଵିକ ଜ୍ଞାନ କୁହାଯାଏ Ι ରାଜସ ଜ୍ଞାନ ଥିବା ଲୋକେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ଠାରେ ଭିନ୍ନ ସତ୍ତା ଉପଲବ୍ଧି କରନ୍ତି Ι ଅଯୌକ୍ତିକ, ଅଯଥାର୍ଥ ଓ ତୁଚ୍ଛ ତାମସିକ ଜ୍ଞାନରେ ଲୋକେ ଗୋଟିଏ ଦେହ ବା ପ୍ରତିମାରେ ଗୋଟିଏ ଆତ୍ମା ସମ୍ପୂର୍ଣ୍ଣ ଭାବରେ ଥାଏ ବୋଲି ଅନୁଭବ କରନ୍ତି Ι ସେହିପରି କର୍ମ, କର୍ତ୍ତା, ବୁଦ୍ଧି ଓ ଧୃତି ମଧ୍ୟ ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ ହୋଇପାରେ Ι ହେ ଅର୍ଜୁନ,"ସୁଖ ମଧ୍ୟ ତିନି ପ୍ରକାର Ι ଯାହା ପ୍ରଥମରୁ ବିଷ ଭଳି ଲାଗିଲେ ମଧ୍ୟ ପରିଣାମ ଅମୃତତୁଲ୍ୟ ହୋଇଥାଏ, ତାହା ସାତ୍ତ୍ଵିକ ସୁଖ ଅଟେ Ι ରାଜସିକ ସୁଖ ବିଷୟ ଏବଂ ଇନ୍ଦ୍ରିୟ ସଂଯୋଗରୁ ଜାତ ହୁଏ Ι ଏହା ଆରମ୍ଭରେ ସୁଖଦାୟକ ହେଲେ ମଧ୍ୟ ପରିଣାମରେ ଦୁଃଖଦାୟକ ହୋଇଥାଏ Ι ଯେଉଁ ସୁଖ ପ୍ରଥମରେ ଓ ଶେଷରେ ଆତ୍ମା ମୋହକାରୀ, ନିଦ୍ରା, ଆଳସ୍ୟ ଓ ପ୍ରମୋଦରୁ ଜାତ, ତାହା ତାମସିକ ସୁଖ ଅଟେ Ι” ଶ୍ରୀହରି କହିଲେ, "ହେ ଧନଞ୍ଜୟ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରମାନଙ୍କର କର୍ମ ବିଭକ୍ତିକରଣ ମଧ୍ୟ ସ୍ୱଭାବଜନିତ ଗୁଣଦ୍ୱାରା ନିର୍ଣୀତ ହୋଇଅଛି Ι ବ୍ରାହ୍ମଣମାନେ ଶମ, ଦମ, ତପସ୍ୟା, ଶୌଚ, କ୍ଷମା, ସରଳତା ଜ୍ଞାନ, ବିଜ୍ଞାନ ଓ ଆସ୍ତିକ୍ୟ( ପରଲୋକରେ ବିଶ୍ୱାସ)କୁ କର୍ମ ଭାବରେ ଗ୍ରହଣ କରିଥାନ୍ତି Ι କ୍ଷତ୍ରିୟମାନେ ଶୌର୍ଯ୍ୟ, ତେଜ, ଧୃତି,କୌଶଳ, ଯୁଦ୍ଧରେ ପାରଙ୍ଗମତା,ଦାନ, ଈଶ୍ୱର ଭାବ ଆଦିରେ ଭୂଷିତ ଅଟନ୍ତି Ι କୃଷି,ପଶୁପାଳନ,ବାଣିଜ୍ୟାଦି କର୍ମ ବୈଶ୍ୟମାନଙ୍କର ଏବଂ ସେବା (ପରିଚର୍ଯ୍ୟାତ୍ମକ କ୍ରିୟା) ଶୂଦ୍ରମାନଙ୍କର ସ୍ୱାଭାବିକ କର୍ମ ବୋଲି ଧରାଯାଏ Ι ସ୍ୱାଭାବିକ କର୍ମ ତ୍ୟାଗ କରି ଭିନ୍ନ ଧର୍ମର କାର୍ଯ୍ୟ କରିବା ଅନୁଚିତ Ι ପରମ ପୁରୁଷ, ପୀତବାସ ଫାଲ୍ଗୁନୀଙ୍କୁ କହିଲେ, "ନିଜ ନିଜ କର୍ମରେ ଲିପ୍ତ ରହିଲେ ମନୁଷ୍ୟ ସେହି କର୍ମରେ ସିଦ୍ଧିଲାଭ କରିଥାଏ Ι ଯେତେ ଭଲରୂପେ ପରଧର୍ମାନୁଗତ କର୍ମ କଲେ ବି, ଏବଂ, ସ୍ୱଧର୍ମଗତ କର୍ମ କଲାବେଳେ ଦୋଷ ତ୍ରୁଟି ରହିଯାଉଥିଲେ ମଧ୍ୟ, ସ୍ୱଧର୍ମ ପାଳନ ଶ୍ରେୟସ୍କର Ι ହେ ବିବତ୍ସ, ନିରାସକ୍ତ ଓ ନିଷ୍ପୃହ ବ୍ୟକ୍ତି ଶରୀରକୁ ନିଜ ଆୟତ୍ତରେ ରଖି ନିରନ୍ତର ଅଭ୍ୟାସ ଦ୍ୱାରା ସିଦ୍ଧି ପ୍ରାପ୍ତ ହୁଅନ୍ତି Ι ଶୁଦ୍ଧ ବୁଦ୍ଧିଯୁକ୍ତହୋଇ, ଇନ୍ଦ୍ରିୟ ତଥା ମନ ଓ ଧ୍ୟାନଯୋଗରେ ପ୍ରବୃତ୍ତହୋଇ, ବୈରାଗ୍ୟ ଆଚରଣ କରି, ବଚନ ସଂଯମ କରି, ରାଗ, ଦ୍ୱେଷ ପରିତ୍ୟାଗ କରି, ଏକାନ୍ତରେ ବାସ କରି, ଅଳ୍ପାହାରରେ ସନ୍ତୁଷ୍ଟ ହୋଇ, ଅହଂକାର, ବଳ, ଦର୍ପ, କାମ, କ୍ରୋଧ ଓ ଲୋଭ ତ୍ୟାଗ କରି, ମମତ୍ୱ ଶୂନ୍ୟ ଓ ପ୍ରଶାନ୍ତ ଚିତ୍ତ ହୋଇଗଲେ ବ୍ରହ୍ମତ୍ୱ ପ୍ରାପ୍ତି ହୁଏ Ι ବ୍ରହ୍ମତ୍ୱ ପ୍ରାପ୍ତ ବ୍ୟକ୍ତିମାନେ ସର୍ବଜୀବରେ ସମଦର୍ଶିତା ଲାଭ କରନ୍ତି ଓ ମୋର ପରା ଭକ୍ତ ହୋଇଯାନ୍ତି Ι ହେ ଶ୍ଵେତବାହନ, ହେ ବିଜୟ, ମତ୍ ପରାୟଣ ହୁଅ Ι ମୋଠାରେ ଚିତ୍ତ ନିବେଶ କର Ι ମୋତେ ସର୍ବକର୍ମ ସମର୍ପଣ କରିଦିଅ Ι ତୁମେ ଇଛା କରି ମଧ୍ୟ ଏ ଯୁଦ୍ଧରୁ ନିବୃତ୍ତ ହୋଇ ରହିପାରିବ ନାହିଁ, କାରଣ ତୁମର ସହଜାତ କ୍ଷତ୍ରିୟ ପ୍ରବୃତ୍ତି ତୁମକୁ ଯୁଦ୍ଧ କରିବାପାଇଁ ବାଧ୍ୟ କରିବ Ι ଏବେ ମୋହ ତୁମକୁ ଯୁଦ୍ଧରୁ ନିବର୍ତ୍ତାଉଛି, ପରେ ସ୍ୱଭାବ ଜାତ ପ୍ରବୃତ୍ତି ତୁମକୁ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇବ Ι ଈଶ୍ୱର ସମସ୍ତଙ୍କ ହୃଦୟରେ ଅବସ୍ଥାନ କରି ତାଙ୍କ ଇଛା ଅନୁସାରେ ଶରୀର ରୂପକ ଯନ୍ତ୍ରଟିକୁ ଘୁରାଉଥାନ୍ତି Ι ତୁମେ ମଧ୍ୟ ସେହି ଈଶ୍ୱରଙ୍କର ଅର୍ଥାତ ମୋର ଶରଣାପନ୍ନ ହୁଅ Ι ମୋଠାରେ ମନୋନିବେଶ କର Ι ମୋତେ ଭକ୍ତି କର, ପୂଜା କର, ନମସ୍କାର କର ଓ ମୋଠାରେ ହିଁ ଶରଣ ନିଅ Ι "ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣମ୍ ବ୍ରଜ, ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ” Ι ତୁମର ଶୋଚନା କରିବାର ଆବଶ୍ୟକତା ନାହିଁ Ι ଯାହା କିଛି ପାପର ଆଶଙ୍କା କରୁଛ, ସେ ସମସ୍ତ ପାପରୁ ମୁଁ ତୁମ୍ଭଙ୍କୁ ଉଦ୍ଧାର କରିବି Ι ହେ ଅର୍ଜୁନ, ଏହି ସବୁ ଗୂଢ ତତ୍ତ୍ୱ ତୁମର ହୃଦୟଙ୍ଗମ ହେଲା ତ ? ଏହି ଗୀତା ତତ୍ତ୍ୱ ଅଭକ୍ତ, ଅଶ୍ରଦ୍ଧ,ଅଧର୍ମୀ ଓ ମୋତେ ନିନ୍ଦା କରୁଥିବା ବ୍ୟକ୍ତିମାନଙ୍କୁ କହିବ ନାହିଁ Ι କିନ୍ତୁ ମୋର ଭକ୍ତମାନଙ୍କୁ ଗୀତା ତତ୍ତ୍ୱ କହୁଥିବା ବ୍ୟକ୍ତି ପରମପଦ ପ୍ରାପ୍ତ ହୁଏ Ι ଗୀତା ଅଧ୍ୟୟନ ଓ ଗୀତା ଶ୍ରବଣରେ ମଧ୍ୟ ପୂଣ୍ୟ ଲାଭ ହୁଏ Ι ତୁମେ ଅତି ଗୂଢ ଏହି ଗୀତାର ମର୍ମ ଅତ୍ୟନ୍ତ ଧ୍ୟାନ ସହକାରେ ଶୁଣିଲ Ι ଏବେ ମୋତେ କୁହ, ତୁମର ଅଜ୍ଞାନତା ଦୂର ହୋଇ ମୋହ ନାଶ ହେଲା ତ ? ଅର୍ଜୁନ କହିଲେ,"ହେ ମହାବାହୁ, ହେ ସର୍ବଶକ୍ତିମାନ୍, ହେ ଜଗଦୀଶ୍ଵର , ମୋର ସମ୍ପୂର୍ଣ୍ଣ ଭାବରେ ମୋହରାଶି ଦୂରୀଭୂତ ହୋଇଛି Ι ଏବେ ମୁଁ ଆପଣଙ୍କ ଆଜ୍ଞା ପାଳନ କରି ଯୁଦ୍ଧ କରିବି Ι" |
IMPORTANT DOCUMENTS.
▼
No comments:
Post a Comment
Note: only a member of this blog may post a comment.