ଶ୍ରୀକୃଷ୍ଣ କହିଲେ, "ହେ ଅର୍ଜୁନ, ଲୋକେ ନାନା ଉପାୟରେ ମୋର ଭଜନ କୀର୍ତ୍ତନ କରିଥାନ୍ତି Ι କେହି ସ୍ତୋତ୍ର, ମନ୍ତ୍ର ଆଦି ଦ୍ୱାରା, କେହି ଦୃଢ ବ୍ରତ ଦ୍ୱାରା ବା ଆଉ କେହି ଚିତ୍ତକୁ ମୋ ନିକଟରେ ସମର୍ପଣ କରି ମୋର ଉପାସନା କରିଥାନ୍ତି Ι ଅତି ଦୁରାଚାର ବ୍ୟକ୍ତି ମଧ୍ୟ ଯଦି ମୋତେ ଭକ୍ତିର ସହ ଭଜନ କରେ ତେବେ ସେ ମଧ୍ୟ ଧର୍ମାତ୍ମା ହୋଇ ଶାଶ୍ୱତ ଶାନ୍ତି ପ୍ରାପ୍ତ ହୁଏ Ι ଏଣୁ ମତ୍ପରାୟଣ ହୋଇ ମୋତେ ପୂଜାକର Ι ମୋର ଆଶ୍ରୟ ଗ୍ରହଣ କର, ତେବେ ଯାଇ ତୁମେ ମୋତେ ପ୍ରାପ୍ତ ହେବ Ι ହେ ଗାଣ୍ଡିବୀ, ସମସ୍ତ ଭୂତ ମୋଠାରୁ ଜନ୍ମ Ι ମୁଁ ସେମାନଙ୍କର ବୀଜ ବୋଲି କହିପାର Ι ମୋ ବିନା ଜାତ ହୋଇଥିବା କୌଣସି ବସ୍ତୁ ବା ପ୍ରାଣୀ ଚରାଚର ଜଗତରେ ନାହିଁ Ι ମୁଁ ସର୍ବତ୍ର ବିଦ୍ୟମାନ Ι ଅର୍ଜୁନ କହିଲେ "ହେ ଚକ୍ରଧାରୀ, ହେ ପ୍ରଭୁ ଜଗନ୍ନାଥ, ଆପଣଙ୍କ ବର୍ଣ୍ଣିତ ଏ ସମସ୍ତ ଜ୍ଞାନପ୍ରାପ୍ତି ପରେ ମଧ୍ୟ ମୋର ବିଶ୍ୱାସ ଦୃଢ କରିବା ପାଇଁ ଆପଣଙ୍କର ସେହି ଐଶ୍ୱରିକ ରୂପ ଦେଖିବାକୁ ଚାହେଁ Ι ଯଦି ମୋତେ ସେହି ରୂପ ଦେଖିବାର ଯୋଗ୍ୟ ଭାବୁଥାଅନ୍ତି ତେବେ ଦୟାକରି ସେହି ଅବ୍ୟୟ, ଅଲୌକିକ ରୂପ ଦେଖାନ୍ତୁ Ι ଭଗବାନ କହିଲେ, "ପାର୍ଥ, ମୋର ଅଲୌକିକ, ଶତ ଶତ, ସହସ୍ର ସହସ୍ର ପ୍ରକାର ବିବିଧ ବର୍ଣାକୃତି ବିଶିଷ୍ଟ ଦିବ୍ୟ ରୂପ ଦର୍ଶନ କର Ι ମୋର ଏହି ଶରୀରରେ ସଚରାଚର ସମଗ୍ର ଜଗତ ଦର୍ଶନ କର Ι କିନ୍ତୁ ତୁମେ ତୁମର ଏହି ସାଧାରଣ ଚର୍ମ ଚକ୍ଷୁରେ ମୋର ସେ ବିଶ୍ଵରୂପ ଦର୍ଶନ କରିପାରିବ ନାହିଁ Ι ମୁଁ ତୁମ୍ଭଙ୍କୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି Ι ଅର୍ଜୁନ ଦିବ୍ୟଦୃଷ୍ଟି ପ୍ରାପ୍ତ ହୋଇ ଅଦ୍ଭୁତ ଦୃଶ୍ୟମାନ ଦେଖିବାକୁ ପାଇଲେ Ι ଅନେକ ମୁଖ,ଅନେକ ଦିବ୍ୟ ଆଭରଣ, ଦିବ୍ୟ ବସ୍ତ୍ର, ଦିବ୍ୟ ମାଲ୍ୟ, ସୁଦିବ୍ୟ ଗନ୍ଧଦ୍ରବ୍ୟ, ଦିବ୍ୟ ଶସ୍ତ୍ରମାନ ଦେଖୁଥାନ୍ତି Ι ଆଶ୍ଚର୍ଯ୍ୟଜନକ ପ୍ରକାଶ,ସହସ୍ର ସହସ୍ର ସୂର୍ଯ୍ୟଙ୍କର ପ୍ରକାଶ ପରି ଦୀପ୍ତିବନ୍ତ ସେହି ବିଶାଳ ଶରୀର ମଧ୍ୟରେ ସମସ୍ତ ଦେବତା, ସଚରାଚର ସମସ୍ତ ପ୍ରାଣୀ, ମୁନିଗଣ, ସର୍ପ ସମୂହ ଦେଖିଲେ ମଧ୍ୟ ଆଦି ଅନ୍ତ କିଛି ଜାଣିପାରୁ ନ ଥାନ୍ତି Ι ସେ ଦେଖୁଥାନ୍ତି ଯେ ସମଗ୍ର ସୃଷ୍ଟିକୁ ବ୍ୟାପି ରହିଛି ସେହି ତେଜୋଦୀପ୍ତ ରୂପ Ι ତାଙ୍କର ବିରାଟ ମୁଖ ଗହ୍ୱର ଭିତରକୁ କୌରବ ଓ ପାଣ୍ଡବ ପକ୍ଷର ବୀରମାନେ ଦ୍ରୁତବେଗରେ ପ୍ରବେଶ କରିବା ଦେଖି ସେ ଧୈର୍ଯ୍ୟ ହରାଇ ବସିଲେ Ι ସେ ଅତି ଆକୁଳ ହୋଇ କହିଲେ, "ହେ ପ୍ରଭୁ, ମୁଁ ଆପଣଙ୍କର ଏହି ରୂପକୁ ସହ୍ୟ କରିପାରୁ ନାହିଁ Ι" କମ୍ପିତ ଶରୀର ଓ ବ୍ୟାକୁଳ ହୃଦୟରେ ଧନଞ୍ଜୟ ସେହି ବିଶ୍ୱରୂପକୁ ଦର୍ଶନ କରୁଥାନ୍ତି Ι ସମସ୍ତ ନଦୀ ସମୁଦ୍ରରେ ଲୀନ ହେଲାପରି ତାଙ୍କର ଜ୍ଞାତ, ଅଜ୍ଞାତ ଅସଂଖ୍ୟ ମନୁଷ୍ୟ ଧ୍ୱଂସ ହେବାପାଇଁ ସେହି ପ୍ରଚଣ୍ଡ ଅଗ୍ନିଶିଖା ବିଶିଷ୍ଟ ମୁଖ ଗହ୍ୱରରେ ଦ୍ରୁତବେଗରେ ପ୍ରବେଶ କରୁଥାନ୍ତି Ι ସେ ଦେଖିଲେ, ପତଙ୍ଗମାନେ ଅନଳରେ ଝାସ ଦେଲାପରି ଏ ସଂସାରର ଅସଂଖ୍ୟ ପ୍ରାଣୀ କେବଳ ବିନାଶ ହେବାପାଇଁ ସେହି ବିସ୍ତାରିତ ମୁଖ ଗହ୍ୱରର ଅଭ୍ୟନ୍ତରକୁ ଧାବମାନ ହେଉଛନ୍ତି Ι ତାଙ୍କର ପ୍ରଖର ତେଜ ସମଗ୍ର ଜଗତକୁ ଉଦ୍ଭାସିତ ଓ ଉତ୍ତପ୍ତ କରୁଅଛି Ι ବ୍ୟସ୍ତ ଓ ବିବ୍ରତ ପାର୍ଥ କରଯୋଡ଼ି ପ୍ରାର୍ଥନା କରିବାକୁ ଲାଗିଲେ Ι ସେ କହିଲେ, "ହେ ବିଷ୍ଣୁ, ଆପଣଙ୍କର ଏ ରୂପର ଆଦି ଅନ୍ତ ମୁଁ ପାଉ ନାହିଁ Ι ଆପଣଙ୍କର ପରିଚୟ କଣ? " ନାରାୟଣ କହିଲେ, ହେ ଅର୍ଜୁନ, ମୁଁ କାଳ Ι ମୁଁ ସମସ୍ତ ସୃଷ୍ଟିକୁ ସମୟକ୍ରମେ ବିନାଶ କରିଥାଏ Ι ଏବେ ତୁମେ ଯେଉଁମାନଙ୍କୁ ଜୀବିତ ଦେଖୁଛ, ସେମାନେ ମୋ ଦ୍ୱାରା ବିନାଶ ପ୍ରାପ୍ତ ହୋଇ ସାରିଛନ୍ତି Ι ତୁମେ ଭାବୁଛ, ତୁମେ ସେମାନଙ୍କୁ ନ ମାରିଲେ ସେମାନେ ବଞ୍ଚି ରହିବେ ? ମୟୈବେତେ ନିହତାଃ ପୂର୍ବମେବ, ନିମିତ୍ତ ମାତ୍ର ଭବ ସବ୍ୟସାଚି ! ଦେଖିଲ ତ, ଭୀଷ୍ମ ଦ୍ରୋଣ କର୍ଣ୍ଣ ଆଦି ଯୋଦ୍ଧାମାନେ କିପରି ମୃତ୍ୟୁର ଅତଳ ଗହ୍ୱରରେ ପ୍ରବେଶ କରି ସାରିଛନ୍ତି Ι ତେଣୁ କିଛିମାତ୍ର ସଂଶୟ ନ କରି ଉଠ ପାର୍ଥ, ତୁମେ କେବଳ ମାଧ୍ୟମ ହୁଅ Ι ଯୁଦ୍ଧ କର Ι” ଅର୍ଜୁନ ପୁନଃ ପୁନଃ ପ୍ରଣାମ କରି ଶରଣାଗତ ହୋଇ ପ୍ରାର୍ଥନା କରିବାକୁ ଲାଗିଲେ Ι ସେ କହିଲେ, "ମୁଁ ଅକିଞ୍ଚନ ଆପଣଙ୍କୁ ବନ୍ଧୁ, ସଖା, ଯାଦବ, ଗୋପାଳ ଆଦି କହି ବହୁବାର ଆପଣଙ୍କୁ ସାଧାରଣ ମନୁଷ୍ୟ ଜ୍ଞାନ କରି ପରିହାସ କରିଛି Ι ମୋତେ କ୍ଷମା କରନ୍ତୁ Ι ଏହି ଅଦୃଷ୍ଟପୂର୍ବ, ଅଶ୍ରୁତପୂର୍ବ ଓ ଅଲୌକିକ ରୂପ ଦର୍ଶନରେ ମୋର ରୋମାଞ୍ଚିତ ହେଉଅଛି ଓ ଭୟ ଜାତ ହେଉଅଛି Ι ହେ ସହସ୍ରବାହୁ, ହେ ବିଶ୍ୱମୂର୍ତ୍ତି, “ମୟା ପ୍ରସନ୍ନେନ ତବାର୍ଜୁନେଦମ୍ ରୁପମ୍ ପରମ୍ ଦର୍ଶିତମାତ୍ମଯୋଗାତ୍ Ι” ଆପଣଙ୍କର ଏହି ଅର୍ଜୁନକୁ ପୂର୍ବର ସେହି କିରୀଟ, ଗଦା ଓ ଚକ୍ରଧାରୀ ରୂପରେ ଦର୍ଶନ ଦିଅନ୍ତୁ Ι ପରମ ପୁରୁଷ ପରମାତ୍ମା ନରହରି ବିଶ୍ଵନିୟନ୍ତା ପ୍ରଭୁ ଭଗବାନ ଅର୍ଜୁନ ଉପରେ ପ୍ରସନ୍ନ ହୋଇ କହିଲେ, "ହେ ପାର୍ଥ, ତୁମ୍ଭ ବିନା ମୋର ଏହି ରୂପ ପୂର୍ବରୁ କେହି ଦେଖି ନାହାନ୍ତି Ι ଭୟ କର ନାହିଁ Ι ଏବେ ମୁଁ ଏହି ରୂପ ସଂହାର କରି ତୁମ୍ଭଙ୍କୁ ପୂର୍ବ ରୂପରେ ଦେଖା ଦେବି Ι" ଏହା କହି ସେ ନିଜର ସୌମ୍ୟ ଶାନ୍ତ ଶ୍ରୀକୃଷ୍ଣ ରୂପ ଧାରଣ କଲେ Ι ପ୍ରକୃତିସ୍ଥ ହୋଇ ଅର୍ଜୁନ ପ୍ରଶ୍ନ କଲେ, "ହେ ବଂଶୀଧାରୀ, ଏ ସଂସାରରେ ଶ୍ରେଷ୍ଠ ଯୋଗୀ କିଏ?" କୃଷ୍ଣ କହିଲେ, "ଯେଉଁମାନେ ନିଷ୍ଠା ଓ ମନୋନିବେଶ ପୂର୍ବକ ଶ୍ରଦ୍ଧାଯୁକ୍ତ ହୋଇ ଉପାସନା କରନ୍ତି, ସେହିମାନେ ହିଁ ଶ୍ରେଷ୍ଠ ଯୋଗୀ Ι ଯେଉଁମାନେ ମୋଠାରେ ସମସ୍ତ କର୍ମ ସମର୍ପଣ କରି ମତ୍ପରାୟଣ ହୋଇ ଏକାନ୍ତ ଚିତ୍ତରେ ମୋତେ ଧ୍ୟାନ କରନ୍ତି, ମୋ ଠାରେ ମନ ସ୍ଥିର କରି, ମୋ ଠାରେ ବୁଦ୍ଧି ନିବେଶ କରି କର୍ମ କରନ୍ତି ସେମାନେ ମୋତେ ପ୍ରାପ୍ତ ହୁଅନ୍ତି Ι ସମସ୍ତେ ମନ ସ୍ଥିର ରଖିପାରନ୍ତି ନାହିଁ Ι କିନ୍ତୁ ସେମାନେ ଅଭ୍ୟାସ ବଳରେ ଏହା ସାଧନ କରି ପାରିବେ Ι ଅଭ୍ୟାସ କରିବା ସମ୍ଭବ ନ ହେଲେ ମଧ୍ୟ ମୋର ପ୍ରୀତିଲାଭ କଲାଭଳି କର୍ମ କଲେ ତୁମ୍ଭେ ସିଦ୍ଧି ଲାଭ କରି ପାରିବ Ι
No comments:
Post a Comment
Note: only a member of this blog may post a comment.