IMPORTANT DOCUMENTS.

Saturday, 21 October 2023

BHAGAVAD GITA ( in simple odiya language)

 

(The Bhagavad Gita is set in a narrative framework of dialogue between the Pandava prince Arjuna and his charioteer guide Krishna, an avatar of lord Vishnu. At the start of the Kurukshetra War between the Pandavas and the Kauravas, Arjuna despairs thinking about the violence and death the war will cause in the battle against his kin and becomes emotionally preoccupied with a dilemma. Wondering if he should renounce the war, Arjuna seeks the counsel of Krishna, whose answers and discourse constitute the Bhagavad Gita. Krishna counsels Arjuna to "fulfil his Kshatriya duty" for the upholdment of dharma. The Krishna–Arjuna dialogue covers a broad range of spiritual topics, touching upon moral and ethical dilemmas, and philosophical issues that go far beyond the war that Arjuna faces. The setting of the text in a battlefield has been interpreted as an allegory for the struggles of human life.) ଗୀତା ( ସରଳ ଭାବେ ଲେଖା ହୋଇ ଥିବା ଗୀତାକୁ ଆସନ୍ତୁ ପଢିବା ) ସୌଜନ୍ୟ: (ଲୋକନାଥ ମିଶ୍ର) କୁରୁକ୍ଷେତ୍ରରେ ମହାଭାରତ ମହାସମରର ପ୍ରଥମ ଦିବସ । ଯୁଦ୍ଧର ପ୍ରାରମ୍ଭ ଆସନ୍ନ Ι ଧୃତରାଷ୍ଟ୍ର ପଚାରିଲେ, “ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାଃ ଯୁଯୁତ୍ସବଃ , ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ ?” ଧୃତରାଷ୍ଟ୍ରଙ୍କ ପ୍ରଶ୍ନର ଉତ୍ତରରେ ସଞ୍ଜୟ କହିଲେ," ମହାରାଜ, ମୁ ଆପଣଙ୍କ ସମ୍ମୁଖରେ ରଣକ୍ଷେତ୍ରର ପ୍ରତ୍ୟକ୍ଷ ଦର୍ଶୀ ବିବରଣୀ ବର୍ଣ୍ଣନା କରୁଛି, ଶ୍ରବଣ କରନ୍ତୁ Ι କୁରୁପତି ଦୁର୍ଯ୍ୟୋଧନ ଗୁରୁ ଦ୍ରୋଣଙ୍କୁ ନିଜ ପକ୍ଷରେ ଥିବା ମହା ମହା ବୀରମାନଙ୍କର ଶକ୍ତି ସମ୍ପର୍କରେ ଉଲ୍ଲେଖ କଲେ Ι ପାଣ୍ଡବମାନଙ୍କ ପକ୍ଷରେ ଥିବା ବୀରମାନଙ୍କ ଶକ୍ତି ସମ୍ପର୍କରେ ମଧ୍ୟ କହିଲେ Ι ପିତାମହ ନିଶ୍ଚୟ ଏହି ଯୁଦ୍ଧର ସେନାପତି ଭାବରେ କୌରବମାନଙ୍କୁ ଜୟଲକ୍ଷ୍ମୀ ଆଣିଦେବେ ବୋଲି କହିବାରୁ ଭୀଷ୍ମ ଆନନ୍ଦରେ ଶଙ୍ଖଧ୍ୱନି କଲେ Ι ଦ୍ରୋଣ, କର୍ଣ୍ଣ,କୃପ, ଅଶ୍ୱତ୍ଥାମା ଆଦି ମଧ୍ୟ ସେମାନଙ୍କର ଶଙ୍ଖ ବାଦନ କରିବା ଦେଖି, ପାଣ୍ଡବମାନେ ମଧ୍ୟ ଅନୁରୂପ ଭାବରେ ନିଜ ନିଜ ଶଙ୍ଖ ଧାରଣ କଲେ Ι କୃଷ୍ଣ ଧରିଲେ, ପାଞ୍ଚଜନ୍ୟ, ଅର୍ଜୁନ ଦେବଦତ୍ତ, ଭୀମ ପୌଣ୍ଡ୍ରକ, ଯୁଧିଷ୍ଠିର ଅନନ୍ତବିଜୟ, ନକୁଳ ସୁଘୋଷ, ସହଦେବ ମଣିପୁଷ୍ପକ ଶଙ୍ଖ Ι ଅନ୍ୟ ରାଜାମାନେ ମଧ୍ୟ ନିଜ ନିଜର ଶଙ୍ଖ ବଜାଇବାରୁ କୁରୁକ୍ଷେତ୍ର କମ୍ପମାନ ହେଲା Ι ଶଙ୍ଖଧ୍ୱନି ସହିତ ଭେରୀ ,ମୃଦଙ୍ଗ, ନାଗରା ଓ ଶିଙ୍ଘା ଆଦି ଯୁଦ୍ଧବାଦ୍ୟ ଯୋଦ୍ଧାମାନଙ୍କୁ ଉତ୍ତେଜିତ କଲା Ι ଏହି ସମୟରେ ମାଧ୍ୟମ ପାଣ୍ଡବ ପାର୍ଥ, ସାରଥୀ ଶ୍ରୀକୃଷ୍ଣଙ୍କୁ କହିଲେ, "ସେନୟୋରୁଭୟୋର୍ମଧ୍ୟେ ରଥମ୍ ସ୍ଥାପୟମେଚ୍ୟୁତ ! ହେ ମାଧବ , ଉଭୟ ସେନା ମଧ୍ୟରେ ଏପରି ସ୍ଥାନରେ ମୋ ରଥ ରଖନ୍ତୁ, ଯେଉଁଠି ଥାଇ ମୁଁ ମୋ ସହିତ ଯୁଦ୍ଧ କରିବାକୁ ଆସିଥିବା ବୀରମାନଙ୍କୁ ଦେଖିପାରିବି Ι” ଶ୍ରୀକୃଷ୍ଣ ରଥକୁ ଠିକ ସେହିପରି ସ୍ଥାନରେ ରଖିଲେ Ι ଅର୍ଜୁନ ଦେଖିଲେ, ସମ୍ମୁଖରେ ପିତାମହ, ପିତୃବ୍ୟ, ଆଚାର୍ଯ୍ୟ, ମାତୁଳ, ଭ୍ରାତା ,ପୁତ୍ର, ପୌତ୍ର ଓ ବନ୍ଧୁମାନେ ତାଙ୍କ ସହ ଯୁଦ୍ଧ କରି ପ୍ରାଣ ନେବାକୁ କିମ୍ବା ପ୍ରାଣ ଦେବାକୁ ପ୍ରସ୍ତୁତ ହୋଇ ଆସିଛନ୍ତି Ι ସେମାନଙ୍କୁ ଦେଖି ଅର୍ଜୁନଙ୍କ ହସ୍ତରୁ ଗାଣ୍ଡୀବ ଖସି ପଡିଲା Ι ଲୋମ ଟାଙ୍କୁରି ଉଠିଲା Ι ଚର୍ମରେ ଜ୍ୱଳନ ଯନ୍ତ୍ରଣା ଅନୁଭୂତ ହେଲା ଓ ଚିତ୍ତରେ ଅସ୍ଥିରତା ତଥା ମତିଭ୍ରମ ଆଦି ଲକ୍ଷଣ ମାନ ଦେଖାଗଲା Ι ସେ ଧନୁତ୍ୟାଗ କରି ବିଷଣ୍ଣ ବଦନରେ ରଥ ଉପରେ ବସିପଡ଼ିଲେ Ι ଥରଥର କଣ୍ଠରେ ସେ କହିଲେ, “ହେ ଅନନ୍ତ, ହେ ଅଚ୍ୟୁତ, ହେ ମାଧବ, ମୋର ରାଜ୍ୟ ଆବଶ୍ୟକ ନାହିଁ Ι ଧନ ଲୋଡ଼ା ନାହିଁ Ι ଯୁଦ୍ଧରେ ବିଜୟ ଜନିତ ସୁଖ ମଧ୍ୟ ମୁଁ ଉପଭୋଗ କରିବାକୁ ଇଚ୍ଛା କରୁନାହିଁ Ι ହେ ଗୋପାଳ, ବିପକ୍ଷର ଏହି ସୈନ୍ୟ ବା ସେନାପତିମାନେ ମୋତେ ବରଂ ମାରିଦିଅନ୍ତୁ, ଦୁଃଖ ନାହିଁ Ι ତ୍ରିଭୁବନ ବିନିମୟରେ ମଧ୍ୟ ମୁଁ ଏମାନଙ୍କୁ ମାରି ପାରିବି ନାହିଁ Ι ଏହି ଯୁଦ୍ଧର ପରିଣତି ସ୍ୱରୂପ ଯେଉଁ କୁଳକ୍ଷୟ ହେବ, ସେଥିରେ ବହୁ ନାରୀ ବୈଧବ୍ୟ ଯନ୍ତ୍ରଣା ଭୋଗ କରିବେ Ι ତନ୍ମଧ୍ୟରୁ କେତେକ ବ୍ୟଭିଚାରିଣୀ ହୋଇ ବର୍ଣ୍ଣଶଙ୍କର ସନ୍ତାନମାନଙ୍କୁ ଜନ୍ମ ଦେବେ ଓ ବଂଶର ଅଧୋଗତି କରାଇବେ ତଥା ବଂଶକୁ ନର୍କଗାମୀ କରାଇବେ Ι ଏ ସମସ୍ତ ପାପରେ ଭାଗୀ ହୋଇ ମୋତେ କେଉଁ ସୁଖ ପ୍ରାପ୍ତ ହେବ? " ବିଷାଦଗ୍ରସ୍ତ, ଶୋକଜର୍ଜରିତ ତଥା ଅଶ୍ରୁପୂର୍ଣ୍ଣ ନୟନ ଯୁଗଳରେ ଅସ୍ତ୍ର ତ୍ୟାଗ କରି ବସିଥିବା ଅର୍ଜୁନଙ୍କୁ କୃଷ୍ଣ ଧୈର୍ଯ୍ୟ ଧରିବାକୁ କହିଲେ Ι ସେ କହିଲେ,"ୟେ ବିଷମ ମୁହୂର୍ତ୍ତରେ, ଯେତେବେଳେ ଶତ୍ରୁ ଅସ୍ତ୍ର ଧରି ସମ୍ମୁଖରେ ପ୍ରହାର ପାଇଁ ଉଦ୍ୟତ, ସେତେବେଳେ ଏ ମାୟା, ମୋହ, ବନ୍ଧନର ଭାବନା ତୁମକୁ ଅନାର୍ଯ୍ୟ, ଅକୀର୍ତ୍ତିକର ଓ ଅଧର୍ମୀ ରୂପେ ପରିଚିତ କରାଇବ Ι ଏତାଦୃଶ କ୍ଳୀବତ୍ଵ ତୁମକୁ ନର୍କଗାମୀ ହେବାରେ ସାହାଯ୍ୟ କରିବ Ι” ଅର୍ଜୁନ କହିଲେ, "ଦେଖନ୍ତୁ ସଖା, ସମ୍ମୁଖରେ ପିତାମହ, ଗୁରୁ ଦ୍ରୋଣ, କୌରବ ଭ୍ରାତାସମୂହ, ମୋର ଜ୍ଞାତି, କୁଟୁମ୍ବ, ମୋର ପ୍ରିୟ ପରିଜନ Ι ଏମାନଙ୍କୁ ଯୁଦ୍ଧରେ ନିଧନ କରି ଐଶ୍ଵର୍ଯ୍ୟ ଭୋଗ କରିବା ଅପେକ୍ଷା ଭିକ୍ଷା କରି ବଞ୍ଚିବା ମୋତେ ଶ୍ରେୟସ୍କର ଲାଗୁଛି Ι ହୁଏ ତ ମୋର ମତି ବିଚଳିତ ହୋଇଛି Ι ହୁଏତ ପ୍ରକୃତ ପନ୍ଥା ନିର୍ଦ୍ଧାରଣ କରିବାପାଇଁ ମୋ ନିକଟରେ ପର୍ଯ୍ୟାପ୍ତ ଜ୍ଞାନର ସମ୍ବଳ ନାହିଁ Ι ମୋତେ ଦିଗ୍ ଦର୍ଶନ ଦିଅନ୍ତୁ Ι ମୁଁ ଆପଣଙ୍କର ଶରଣାପନ୍ନ ହେଉଛି Ι ଆପଣ ମୋର ଗୁରୁ ଭାବରେ ମୋତେ ଉଚିତ ମାର୍ଗ ପ୍ରଦର୍ଶନ କରନ୍ତୁ Ι ହୁଏତ ବିଜୟ ହେବ, ନିଷ୍କଣ୍ଟକ ପଞ୍ଚରାଜ୍ୟ ଭୋଗିବେ ପାଣ୍ଡବେ Ι ଏହାବି ସମ୍ଭବ, ସ୍ୱର୍ଗସୁଖ ଆସିପାରେ ହସ୍ତେ, କିନ୍ତୁ ଏ ଇନ୍ଦ୍ରିୟ ? ମନ ଓ ହୃଦୟ ଯେବେ ପ୍ରିୟ ପରିଜନ ନାଶି ବିଳପିବ ଅଧୀର ଆବେଗେ, କେଉଁ ରୂପେ ଶାନ୍ତ ହେବ ଚିତ୍ତ ତାହା ପାରୁନାହିଁ ଜାଣି Ι” ଶ୍ରୀକୃଷ୍ଣ ହସିଲେ Ι କହିଲେ, ଯେଉଁମାନଙ୍କ ପାଇଁ ଶୋକ କରିବା କଥା ନୁହେଁ, ସେମାନଙ୍କ ପାଇଁ ଦୁଃଖ କରୁଅଛ Ι ଅଥଚ ପଣ୍ଡିତମାନେ ଜୀବିତ କିମ୍ବା ମୃତ କାହାରି ପାଇଁ ଶୋକ କରନ୍ତି ନାହିଁ କାରଣ, ଏଠାରେ କିମ୍ବା ଅନ୍ୟତ୍ର ଯେଉଁମାନେ ଏବେ ବିଦ୍ୟମାନ, ସେମାନେ, ପୂର୍ବରୁ ଥିଲେ, ଏବେ ଅଛନ୍ତି ଏବଂ ରହିବେ ମଧ୍ୟ Ι ଏହି ସ୍ଥୂଳ ଶରୀରରେ ନାନା ପରିବର୍ତ୍ତନ ହୁଏ Ι ଶୈଶବ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟ ଆଦି ଭିନ୍ନ ଭିନ୍ନ ଅବସ୍ଥାରେ ଶରୀରର ରୂପ ପରିବର୍ତ୍ତିତ ହେଉଥାଏ Ι ଆତ୍ମା ବି ବଦଳେ କିନ୍ତୁ ତାର କ୍ଷୟ ନାହିଁ Ι ଅକ୍ଷୟ ଅବିନାଶୀ ଏହି ଆତ୍ମା ପାଇଁ ଚିନ୍ତା କରିବାର ଆବଶ୍ୟକତା କଣ ଅଛି ?” ଶ୍ରୀକୃଷ୍ଣ କହିଲେ,”ହେ କିରୀଟୀ, ଯେଉଁ ଇନ୍ଦ୍ରିୟ ସମୂହ ତୁମକୁ ଶୀତ , ତାପ ଅନୁଭବ କରାଉଛନ୍ତି କିମ୍ବା ସୁଖ, ଦୁଃଖ ଓ ମାୟା ମୋହରେ ଜଡିତ କରାଉଛନ୍ତି, ସେମାନଙ୍କ ପ୍ରଭାବ କେବଳ ଆମ ଶରୀର ଉପରେ ହିଁ ସିମୀତ Ι ଇନ୍ଦ୍ରିୟର ସମ୍ବନ୍ଧ ଅନିତ୍ୟ Ι ସମସ୍ତ ଅନିତ୍ୟ ବସ୍ତୁ ଭଳି ଏହାର ସ୍ଥାୟିତ୍ୱ ନାହିଁ, କିମ୍ବା ଆତ୍ମା ଭଳି ନିତ୍ୟ ବସ୍ତୁର ବିନାଶ ନାହିଁ Ι ତେଣୁ ହେ ବିବତ୍ସ, ଉଠ, ଯୁଦ୍ଧ କର Ι ଯେଉଁମାନେ ଭାବନ୍ତି ଯେ ଆତ୍ମା ହତ୍ୟା କଲା ବା ନିହତ ହେଲା, ସେମାନେ ଜାଣିବା ଉଚିତ ଯେ "ନ ଜାୟତେ ମ୍ରିୟତେ ବା କଦାଚିତ୍, ନାୟଂ ଭୂତ୍ୱା, ଭବିତା ନା ଭୂୟଃ, ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ, ନ ହନ୍ୟତେ ହନ୍ୟମାନେ ଶରୀରେ Ι" ଆତ୍ମା ଜନ୍ମ ହୁଏ ନାହିଁ Ι ତାର ମୃତ୍ୟୁ ନାହିଁ Ι ଶରୀର ବିନଷ୍ଟ ହେଲେ ମଧ୍ୟ ଆତ୍ମା ନଷ୍ଟ ହୁଏ ନାହିଁ Ι ତେଣୁ ତୁମେ ଯଦି ଭାବୁଥାଅ, କାହାକୁ ହତ୍ୟା କରୁଛ ବୋଲି ତାହା ତୁମର ଭ୍ରମ Ι "ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି, ତଥା ଶରୀରାଣି ବିହାୟ ଜୀର୍ଣ୍ଣାନ୍ୟନ୍ୟାନି ସଂଯାତି ନବାନି ଦେହି Ι” ପୁରାତନ ବସ୍ତ୍ର ସଦୃଶ ଜୀର୍ଣ୍ଣ ଶରୀରକୁ ପରିତ୍ୟାଗ କରି, ମନୁଷ୍ୟ ନୂତନ ବସ୍ତ୍ର ଗ୍ରହଣ କଲାପରି ନୂତନ ଏକ ଶରୀର ଧାରଣ କରେ Ι “ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ, ନଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ” Ι ଆତ୍ମାକୁ ଶସ୍ତ୍ର ଛିନ୍ନ କରିପାରେ ନାହିଁ Ι ଅଗ୍ନି ଦଗ୍ଧ କରିପାରେନାହିଁ Ι ଜଳ ଆର୍ଦ୍ର କରିପାରେ ନାହିଁ କିମ୍ବା ବାୟୁ ଶୁଷ୍କ କରିପାରେ ନାହିଁ Ι ଯଦି ଆତ୍ମାର ଏହି ସ୍ଥାୟିତ୍ୱ ସମ୍ପର୍କରେ ତୁମର ସନ୍ଦେହ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ, ତଥାପି ମଧ୍ୟ ତୁମେ ଶୋକ କରିବାର କିଛି କାରଣ ନାହିଁ Ι ”ଜାତସ୍ୟ ହିଁ ଧ୍ରୁବୋ ମୃତ୍ୟୁ ,ଧ୍ରୁବଂ ଜନ୍ମ ମୃତସ୍ୟ ଚ Ι” ଜନ୍ମ ହେଲେ ମୃତ୍ୟୁ ଓ ମୃତ୍ୟୁ ହେଲେ ପୁନର୍ବାର ଜନ୍ମ ନିଶ୍ଚିତ Ι ତେଣୁ ଏହି ଶରୀରର ଅପରିହାର୍ଯ୍ୟ ପରିଣତି ବିଷୟରେ ଦୁଃଖ କରିବାର କଣ ଅଛି ? ଶ୍ରୀକୃଷ୍ଣ କହିଲେ, ' କ୍ଷିତି , ଆପ୍, ତେଜ ,ମରୁତ ଓ ବ୍ୟୋମ , ଏହି ପଞ୍ଚ ମହାଭୂତରୁ ଶରୀର ନିର୍ମିତ ହୋଇଛି Ι ଜନ୍ମ ପୂର୍ବରୁ ଏହା ଅବ୍ୟକ୍ତ ଥିଲା, ଅର୍ଥାତ ୟା ବିଷୟରେ କିଛି ଜଣା ନ ଥିଲା Ι ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ଶରୀର ବିଷୟ ବ୍ୟକ୍ତ ବେବାକୁ ଲାଗିଲା Ι ମୃତ୍ୟୁ ପରେ ପୁନଶ୍ଚ ଏହା ଅବ୍ୟକ୍ତ ହୋଇଯିବ Ι ତତ୍ର କା ପରିବେଦନା? ଚିନ୍ତା କାହିଁକି ? ହେ କ୍ଷତ୍ରିୟ ଶ୍ରେଷ୍ଠ ମଧ୍ୟମ ପାଣ୍ଡବ, ତୁମର ସମ୍ମୁଖରେ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ Ι ଯୁଦ୍ଧ କରି କ୍ଷତ୍ରିୟର ଧର୍ମ ପାଳନ କରି ତୁମେ ସ୍ୱର୍ଗ ପଥରେ ଗମନ କରିବ କିମ୍ବା ଯୁଦ୍ଧ ନ କରି ଧର୍ମ ନଷ୍ଟ କରିବ, ତାହା ଚିନ୍ତା କର Ι ଯୁଦ୍ଧ ପରିହାର କଲେ ଅନ୍ୟମାନେ ତୁମକୁ ଦୁର୍ବଳ, ଅସମର୍ଥ ଓ ଭୟାଳୁ ବୋଲି ଅଭିହିତ କରି ତାତ୍ସଲ୍ୟ କରିବେ Ι ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗମ୍, ଜିତ୍ଵା ବା ଭୋକ୍ଷସେ ମହୀଂΙ ତସ୍ମାଦୁତ୍ତିଷ୍ଠ କୌନ୍ତେୟ, ଯୁଦ୍ଧାୟ କୃତ ନିଶ୍ଚୟଃ Ι” "ଜିଣିଲେ ଭୋଗିବ ତୁମେ ନିଷ୍କଣ୍ଟକ ମହୀ, ମୃତ୍ୟୁ ହେଲେ ସ୍ୱର୍ଗପଥେ ଯିବ ଚିନ୍ତା ନାହିଁ Ι " ତେଣୁ ହେ କୌନ୍ତେୟ, ଉଠ, ନିଜର କର୍ତ୍ତବ୍ୟ କର Ι ଯୁଦ୍ଧ କର ପାର୍ଥ, ଅସ୍ତ୍ର ଧାରଣ କର Ι ସୁଖ, ଦୁଃଖ, ଲାଭ କ୍ଷତି, ଜୟ ପରାଜୟ ; ୟେ ସମସ୍ତ ବିରୋଧାଭାଷକୁ ସମାନ ବିଚାର କରି ଯୁଦ୍ଧ କରିବା ତୁମର କର୍ତ୍ତବ୍ୟ ଓ ସେଥିପାଇଁ ତୁମେ ଯୁଦ୍ଧ କରୁଛ ବୋଲି ଭାବି ଯଦି ଯୁଦ୍ଧ କରିବ, ତେବେ ପରିଣାମ ଯାହା ହେଉନା କାହିଁକି , ତୁମର କୌଣସି ପାପ ହେବ ନାହିଁ Ι

No comments:

Post a Comment

Note: only a member of this blog may post a comment.