ଶ୍ରୀକୃଷ୍ଣ କହିଲେ,"ହେ ଧନଞ୍ଜୟ, ଯେଉଁମାନେ ଅଭିମାନଶୂନ୍ୟ, ନିର୍ମୋହ,ପୁତ୍ରାଦି ଆସକ୍ତିରହିତ, ଆତ୍ମଜ୍ଞାନରେ ନିଷ୍ଠା, ନିଷ୍କାମ, ଦ୍ଵନ୍ଦ୍ଵ ଓ ସୁଖ ଦୁଃଖ ବିମୁକ୍ତ, ସେହି ଜ୍ଞାନୀଲୋକମାନେ ବିଷ୍ଣୁପଦ ପ୍ରାପ୍ତ ହୁଅନ୍ତି Ι ଦେହରୁ ଦେହାନ୍ତରଗାମୀ ଆତ୍ମାକୁ ଭୋଗଲିପ୍ତ ଇନ୍ଦ୍ରିୟାସକ୍ତ ପ୍ରାଣୀମାନେ ଦେଖିପାରନ୍ତି ନାହିଁ Ι କେବଳ ଜ୍ଞାନ ଚକ୍ଷୁଥିବା ବ୍ୟକ୍ତି ଅର୍ଥାତ୍ ଜ୍ଞାନୀମାନେ ଦେଖିପାରନ୍ତି Ι ମୁଁ ସମସ୍ତଙ୍କ ହୃଦୟରେ ଅନ୍ତର୍ଯାମୀ ରୂପରେ ବିଦ୍ୟମାନ Ι ହେ ଅର୍ଜୁନ, କେହି କେହି ଦୈବୀ ଶକ୍ତିସମ୍ପନ୍ନ ବ୍ୟକ୍ତିଙ୍କଠାରେ ନିଷ୍ଠା, ଦାନ, ଦମ(ସଂଯମ), ଯଜ୍ଞ, ତପ, ସରଳତା, ଅହିଂସା, ସତ୍ୟ, କ୍ରୋଧହୀନତା, ତ୍ୟାଗ, ଶାନ୍ତି, ଅପରକୁ ନିନ୍ଦା ନ କରିବା, ଦୟା, ନିର୍ଲୋଭତା, ମୃଦୁତା, ଅକାର୍ଯ୍ୟରେ ଲଜ୍ଜା, ତେଜ, କ୍ଷମା ସୁଖ ଓ ଦୁଃଖରେ ସମଭାବ, ଶୌଚ,ଦ୍ରୋହଶୂନ୍ୟତା ଓ ଅଭିମାନଶୂନ୍ୟତା ଆଦି ମହତ୍ ଗୁଣମାନ ଦେଖିବାକୁ ମିଳିଥାଏ Ι ଆଉ କେହି ଆସୁରୀ ଶକ୍ତି ସମ୍ପଦ ପ୍ରାପ୍ତ ହୋଇ ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ, ନିଷ୍ଠୁରତା ଓ ଅଜ୍ଞାନତା ଆଦି ଗୁଣମାନ ନେଇ ଜନ୍ମଗ୍ରହଣ କରିଥାନ୍ତି Ι ଦୈବୀ ସମ୍ପଦ ମୋକ୍ଷର କାରଣ ହୁଏ ଏବଂ ଆସୁରୀ ସମ୍ପଦ ବନ୍ଧନର କାରଣ ହୁଏ Ι ଏହି ଆସୁରୀ ସ୍ୱଭାବ ସମ୍ପନ୍ନ ଲୋକମାନେ ଧର୍ମ ଅଧର୍ମ ମଧ୍ୟରେ ପ୍ରଭେଦ ଦେଖନ୍ତି ନାହିଁ Ι ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ Ι କେବଳ ସ୍ତ୍ରୀ ଓ ପୁରୁଷ ମଧ୍ୟରେ କାମ ସମ୍ପର୍କରୁ ଏହି ଜଗତ ସୃଷ୍ଟି ହୋଇଛି ବୋଲି ମନେ କରନ୍ତି Ι ସେହି ନଷ୍ଟ ଆତ୍ମା ଅଳ୍ପବୁଦ୍ଧି, ମଳିନ ଚିତ୍ତ, ଉଗ୍ର କର୍ମା ଓ ଅହିତକାରୀ ଲୋକେ ଜଗତର କ୍ଷୟ ସାଧନା କରିଥାନ୍ତି Ι ସେମାନେ ଆମରଣ କାମ ଉପଭୋଗକୁ ପରମ ପୁରୁଷାର୍ଥ ବୋଲି ମନେ କରନ୍ତି Ι ଅହଂକାର, ବଳ, ଦର୍ପ, କାମ, କ୍ରୋଧକୁ ଆଶ୍ରୟ କରି ନିଜ ଓ ପର ଦେହରେ ଅବସ୍ଥିତ ମୋର ଅସ୍ତିତ୍ୱ ପ୍ରତି ଦ୍ୱେଷ ପ୍ରକାଶ କରନ୍ତି ଏବଂ ସନ୍ମାର୍ଗରେ ଗତି କରୁଥିବା ବ୍ୟକ୍ତିଙ୍କ ଉପରେ ଦୋଷାରୋପ କରିଥାନ୍ତି Ι ସେମାନେ ପର ଜନ୍ମରେ ବ୍ୟାଘ୍ର, ସର୍ପ ଆଦି ଆସୁରୀ ଯୋନିରେ ଜାତ ହୁଅନ୍ତି Ι ସେ ଜନ୍ମରେ ମଧ୍ୟ ମୋତେ ନ ଭଜି ସେମାନେ ଅଧିକରୁ ଅଧିକ ଅଧମ ଗତି ଅର୍ଥାତ କୃମୀ ଓ କୀଟ ଆଦି ଯୋନିରେ ଜନ୍ମ ହୁଅନ୍ତି Ι କାମ, କ୍ରୋଧ ଓ ଲୋଭ, ଏ ତିନୋଟି ନର୍କର ଦ୍ୱାର Ι ତେଣୁ ଏ ତିନିଟିରୁ ନିଜକୁ ଦୂରରେ ରଖିବା ବିଧେୟ Ι ଶାସ୍ତ୍ର ବିଧି ଅନୁସରଣ ନ କରି, ଶ୍ରଦ୍ଧାରେ ଯେଉଁମାନେ ଯଜ୍ଞାଦି ଅନୁଷ୍ଠାନ କରନ୍ତି, ସେମାନଙ୍କ ବିଷୟରେ ଅର୍ଜୁନ ଜାଣିବାକୁ ଚାହିଁବାରୁ ପ୍ରଭୁ ପରଂବ୍ରହ୍ମ ନାରାୟଣ ବୁଝାଇଲେ, “ଯେଉଁମାନଙ୍କର ସତ୍ତ୍ଵ ସ୍ୱଭାବ ଯେପରି ଥାଏ, ସେମାନଙ୍କର ଶ୍ରଦ୍ଧା ମଧ୍ୟ ସେହିପରି ସାତ୍ତ୍ୱିକୀ, ରାଜସୀ କିମ୍ବା ତାମସୀ ହୋଇଥାଏ Ι ସାତ୍ତ୍ୱିକୀ ଶ୍ରଦ୍ଧା ଥିବା ଲୋକେ ଦେବତାମାନଙ୍କୁ, ରାଜସୀ ଶ୍ରଦ୍ଧାଵାନ ଲୋକେ ଯକ୍ଷ ଓ ରକ୍ଷମାନଙ୍କୁ ଏବଂ ତାମସିକ ବ୍ୟକ୍ତିମାନେ ଭୂତ, ପ୍ରେତ ଆଦିଙ୍କୁ ପୂଜା କରିଥାନ୍ତି Ι ଶରୀରକୁ କଷ୍ଟ ଦେଇ ଯେଉଁମାନେ କୄଛ୍ର ଅଶାସ୍ତ୍ରୀୟ ସାଧନା କରି ବିଶେଷ ଲାଭ ଆଶାରେ ତପସ୍ୟା କରନ୍ତି, ସେମାନେ ଅସୁର ବ୍ରତଧାରୀ ବୋଲି କଥିତ ହୁଅନ୍ତି Ι ସାତ୍ତ୍ଵିକ ଆହାର ଆୟୁଷ,ଶକ୍ତି, ପବିତ୍ରତା ସୁଖ ଓ କ୍ଷୁଧା ବର୍ଦ୍ଧନ କରେ Ι ରାଜସିକ ମନୁଷ୍ୟମାନେ ପିତା, ଖଟା,ଲବଣାକ୍ତ, ଅତି ଉଷ୍ଣ, କଠିନ ଓ ଶୁଷ୍କ ଆହାର ପସନ୍ଦ କରନ୍ତି Ι ତାମସିକ ବ୍ୟକ୍ତିମାନେ ପଚା, ଅଇଁଠା, ବାସୀ,ଅଭକ୍ଷ ଖାଦ୍ୟରେ ସନ୍ତୋଷ ଲାଭ କରନ୍ତି Ι ଏହି ତିନି ପ୍ରକାରର ଶ୍ରଦ୍ଧାଥିବା ଲୋକଙ୍କର ଯଜ୍ଞ ବିଧାନ ମଧ୍ୟ ବିଭିନ୍ନ Ι ସାତ୍ତ୍ୱିକୀମାନେ ଫଳରେ ଆଶା ନ ରଖି, ବିଧି ଅନୁସାରେ ମନ ଓ ଚିତ୍ତ ସ୍ଥିର କରି ଯଜ୍ଞ କରନ୍ତି Ι ରାଜସିକ ଶ୍ରଦ୍ଧା ବିଶିଷ୍ଟ ଲୋକେ ଫଳ ଆଶା କରି, ଦମ୍ଭ ଓ ଅହଂକାର ପ୍ରଦର୍ଶନ ପାଇଁ ଯଜ୍ଞ କରନ୍ତି Ι ତାମସିକ ବ୍ୟକ୍ତିମାନେ ବିଧିହୀନ ଯଜ୍ଞ କରନ୍ତି, ଯେଉଁଥିରେ ଅନ୍ନ ଦାନର ବ୍ୟବସ୍ଥା ନ ଥାଏ, ପୁରୋହିତକୁ ଦକ୍ଷିଣା ଦିଆଯାଏ ନାହିଁ କିମ୍ବା କର୍ତ୍ତାର ଶ୍ରଦ୍ଧା ନ ଥାଏ Ι ତିନି ପ୍ରକାର ତପସ୍ୟା ଅଛି Ι ଶାରୀରିକ ତପ; ଏ ପ୍ରକାର ତପସ୍ୟାରେ ଦେବତା, ବ୍ରାହ୍ମଣ, ଗୁରୁ, ପଣ୍ଡିତବର୍ଗଙ୍କର ପୂଜା,ଶୌଚ,ସରଳତା ଓ ଅହିଂସା ଆଚରଣ କରାଯାଏ Ι ବାଙ୍ମୟ ତପ, ଯେଉଁଥିରେ ବ୍ୟକ୍ତି ଅନ୍ୟର ଉଦ୍ବେଗ ବୃଦ୍ଧି କଲା ପରି ବାକ୍ୟ କହେ ନାହିଁ, ସତ୍ୟ, ପ୍ରିୟ ଅଥଚ ହିତଜନକ ବାକ୍ୟ କହେ ଓ ଯଥାବିଧି ବେଦାଭ୍ୟାସ କରେ Ι ମାନସିକ ତପରେ ଚିତ୍ତ ଶୁଦ୍ଧି, ମନର ପ୍ରସନ୍ନତା, ଅକ୍ରୂରତା, ମୌନ ବା ବାକ୍ ସଂଯମ, କପଟଶୂନ୍ୟତା ଆଦି ଅନ୍ତର୍ଭୁକ୍ତ Ι ଯଜ୍ଞ ଭଳି ସାତ୍ତ୍ଵିକ, ରାଜସିକ ଓ ତାମସିକ ଲୋକେ ତିନି ପ୍ରକାରର ତପସ୍ୟା କରିଥାନ୍ତି Ι ପ୍ରଥମ ଶ୍ରେଣୀ ଆକାଂକ୍ଷା ରହିତ ଶ୍ରଦ୍ଧାଯୁକ୍ତ ତପ, ଦ୍ଵିତୀୟ ଶ୍ରେଣୀ ଆକାଂକ୍ଷିତ ଵସ୍ତୁଲାଭ ଆଶାରେ ଦମ୍ଭ ସହ ତପ Ι ତୃତୀୟ ଶ୍ରେଣୀ ଅର୍ଥାତ୍ ତାମସିକ ଲୋକେ ପରର ବିନାଶ ନିମନ୍ତେ ତପ କରିଥାନ୍ତି Ι ସେହିପରି ଦାନ ମଧ୍ୟ ଏହି ତିନି ଶ୍ରଦ୍ଧାଯୁକ୍ତ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ପ୍ରକାର ମାର୍ଗରେ କରନ୍ତି Ι ଦେଶକାଳ ପାତ୍ର ବିବେଚନାରେ ଅସମର୍ଥ ବ୍ୟକ୍ତିକୁ ଯେଉଁ ଦାନ ଦିଆଯାଏ ତାହା ସାତ୍ତ୍ଵିକ ଦାନ; ପ୍ରତ୍ୟୁପକାର ଆଶାରେ, ପରଲୋକରେ ସ୍ୱର୍ଗପ୍ରାପ୍ତି ପାଇଁ କଷ୍ଟ ସହି ଯେଉଁ ଦାନ ଦିଆଯାଏ ତାହା ରାଜସିକ ଦାନ ଏବଂ ଅପବିତ୍ର ସ୍ଥାନରେ, ଅଶୌଚ ଅବସ୍ଥାରେ, ଅନୁପଯୁକ୍ତ ପାତ୍ରରେ ଅବଜ୍ଞା ସହିତ ଯେଉଁ ଦାନ ଦିଆଯାଏ ତାହା ତାମସିକ ଦାନ ଅଟେ Ι ଓଁ ତତ୍ ସତ୍ ସକଳ ବେଦ ଯଜ୍ଞ ଓ ତପରେ ବ୍ୟବହୃତ ହୁଏ କାରଣ ଏ ତିନି ନାମ ପରମାତ୍ମା ବ୍ରହ୍ମଙ୍କର Ι |
No comments:
Post a Comment
Note: only a member of this blog may post a comment.