(The Bhagavad Gita is set in a narrative framework of dialogue between the Pandava prince Arjuna and his charioteer guide Krishna, an avatar of lord Vishnu. At the start of the Kurukshetra War between the Pandavas and the Kauravas, Arjuna despairs thinking about the violence and death the war will cause in the battle against his kin and becomes emotionally preoccupied with a dilemma. Wondering if he should renounce the war, Arjuna seeks the counsel of Krishna, whose answers and discourse constitute the Bhagavad Gita. Krishna counsels Arjuna to "fulfil his Kshatriya duty" for the upholdment of dharma. The Krishna–Arjuna dialogue covers a broad range of spiritual topics, touching upon moral and ethical dilemmas, and philosophical issues that go far beyond the war that Arjuna faces. The setting of the text in a battlefield has been interpreted as an allegory for the struggles of human life.) ଗୀତା ( ସରଳ ଭାବେ ଲେଖା ହୋଇ ଥିବା ଗୀତାକୁ ଆସନ୍ତୁ ପଢିବା ) ସୌଜନ୍ୟ: (ଲୋକନାଥ ମିଶ୍ର) କୁରୁକ୍ଷେତ୍ରରେ ମହାଭାରତ ମହାସମରର ପ୍ରଥମ ଦିବସ । ଯୁଦ୍ଧର ପ୍ରାରମ୍ଭ ଆସନ୍ନ Ι ଧୃତରାଷ୍ଟ୍ର ପଚାରିଲେ, “ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାଃ ଯୁଯୁତ୍ସବଃ , ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ ?” ଧୃତରାଷ୍ଟ୍ରଙ୍କ ପ୍ରଶ୍ନର ଉତ୍ତରରେ ସଞ୍ଜୟ କହିଲେ," ମହାରାଜ, ମୁ ଆପଣଙ୍କ ସମ୍ମୁଖରେ ରଣକ୍ଷେତ୍ରର ପ୍ରତ୍ୟକ୍ଷ ଦର୍ଶୀ ବିବରଣୀ ବର୍ଣ୍ଣନା କରୁଛି, ଶ୍ରବଣ କରନ୍ତୁ Ι କୁରୁପତି ଦୁର୍ଯ୍ୟୋଧନ ଗୁରୁ ଦ୍ରୋଣଙ୍କୁ ନିଜ ପକ୍ଷରେ ଥିବା ମହା ମହା ବୀରମାନଙ୍କର ଶକ୍ତି ସମ୍ପର୍କରେ ଉଲ୍ଲେଖ କଲେ Ι ପାଣ୍ଡବମାନଙ୍କ ପକ୍ଷରେ ଥିବା ବୀରମାନଙ୍କ ଶକ୍ତି ସମ୍ପର୍କରେ ମଧ୍ୟ କହିଲେ Ι ପିତାମହ ନିଶ୍ଚୟ ଏହି ଯୁଦ୍ଧର ସେନାପତି ଭାବରେ କୌରବମାନଙ୍କୁ ଜୟଲକ୍ଷ୍ମୀ ଆଣିଦେବେ ବୋଲି କହିବାରୁ ଭୀଷ୍ମ ଆନନ୍ଦରେ ଶଙ୍ଖଧ୍ୱନି କଲେ Ι ଦ୍ରୋଣ, କର୍ଣ୍ଣ,କୃପ, ଅଶ୍ୱତ୍ଥାମା ଆଦି ମଧ୍ୟ ସେମାନଙ୍କର ଶଙ୍ଖ ବାଦନ କରିବା ଦେଖି, ପାଣ୍ଡବମାନେ ମଧ୍ୟ ଅନୁରୂପ ଭାବରେ ନିଜ ନିଜ ଶଙ୍ଖ ଧାରଣ କଲେ Ι କୃଷ୍ଣ ଧରିଲେ, ପାଞ୍ଚଜନ୍ୟ, ଅର୍ଜୁନ ଦେବଦତ୍ତ, ଭୀମ ପୌଣ୍ଡ୍ରକ, ଯୁଧିଷ୍ଠିର ଅନନ୍ତବିଜୟ, ନକୁଳ ସୁଘୋଷ, ସହଦେବ ମଣିପୁଷ୍ପକ ଶଙ୍ଖ Ι ଅନ୍ୟ ରାଜାମାନେ ମଧ୍ୟ ନିଜ ନିଜର ଶଙ୍ଖ ବଜାଇବାରୁ କୁରୁକ୍ଷେତ୍ର କମ୍ପମାନ ହେଲା Ι ଶଙ୍ଖଧ୍ୱନି ସହିତ ଭେରୀ ,ମୃଦଙ୍ଗ, ନାଗରା ଓ ଶିଙ୍ଘା ଆଦି ଯୁଦ୍ଧବାଦ୍ୟ ଯୋଦ୍ଧାମାନଙ୍କୁ ଉତ୍ତେଜିତ କଲା Ι ଏହି ସମୟରେ ମାଧ୍ୟମ ପାଣ୍ଡବ ପାର୍ଥ, ସାରଥୀ ଶ୍ରୀକୃଷ୍ଣଙ୍କୁ କହିଲେ, "ସେନୟୋରୁଭୟୋର୍ମଧ୍ୟେ ରଥମ୍ ସ୍ଥାପୟମେଚ୍ୟୁତ ! ହେ ମାଧବ , ଉଭୟ ସେନା ମଧ୍ୟରେ ଏପରି ସ୍ଥାନରେ ମୋ ରଥ ରଖନ୍ତୁ, ଯେଉଁଠି ଥାଇ ମୁଁ ମୋ ସହିତ ଯୁଦ୍ଧ କରିବାକୁ ଆସିଥିବା ବୀରମାନଙ୍କୁ ଦେଖିପାରିବି Ι” ଶ୍ରୀକୃଷ୍ଣ ରଥକୁ ଠିକ ସେହିପରି ସ୍ଥାନରେ ରଖିଲେ Ι ଅର୍ଜୁନ ଦେଖିଲେ, ସମ୍ମୁଖରେ ପିତାମହ, ପିତୃବ୍ୟ, ଆଚାର୍ଯ୍ୟ, ମାତୁଳ, ଭ୍ରାତା ,ପୁତ୍ର, ପୌତ୍ର ଓ ବନ୍ଧୁମାନେ ତାଙ୍କ ସହ ଯୁଦ୍ଧ କରି ପ୍ରାଣ ନେବାକୁ କିମ୍ବା ପ୍ରାଣ ଦେବାକୁ ପ୍ରସ୍ତୁତ ହୋଇ ଆସିଛନ୍ତି Ι ସେମାନଙ୍କୁ ଦେଖି ଅର୍ଜୁନଙ୍କ ହସ୍ତରୁ ଗାଣ୍ଡୀବ ଖସି ପଡିଲା Ι ଲୋମ ଟାଙ୍କୁରି ଉଠିଲା Ι ଚର୍ମରେ ଜ୍ୱଳନ ଯନ୍ତ୍ରଣା ଅନୁଭୂତ ହେଲା ଓ ଚିତ୍ତରେ ଅସ୍ଥିରତା ତଥା ମତିଭ୍ରମ ଆଦି ଲକ୍ଷଣ ମାନ ଦେଖାଗଲା Ι ସେ ଧନୁତ୍ୟାଗ କରି ବିଷଣ୍ଣ ବଦନରେ ରଥ ଉପରେ ବସିପଡ଼ିଲେ Ι ଥରଥର କଣ୍ଠରେ ସେ କହିଲେ, “ହେ ଅନନ୍ତ, ହେ ଅଚ୍ୟୁତ, ହେ ମାଧବ, ମୋର ରାଜ୍ୟ ଆବଶ୍ୟକ ନାହିଁ Ι ଧନ ଲୋଡ଼ା ନାହିଁ Ι ଯୁଦ୍ଧରେ ବିଜୟ ଜନିତ ସୁଖ ମଧ୍ୟ ମୁଁ ଉପଭୋଗ କରିବାକୁ ଇଚ୍ଛା କରୁନାହିଁ Ι ହେ ଗୋପାଳ, ବିପକ୍ଷର ଏହି ସୈନ୍ୟ ବା ସେନାପତିମାନେ ମୋତେ ବରଂ ମାରିଦିଅନ୍ତୁ, ଦୁଃଖ ନାହିଁ Ι ତ୍ରିଭୁବନ ବିନିମୟରେ ମଧ୍ୟ ମୁଁ ଏମାନଙ୍କୁ ମାରି ପାରିବି ନାହିଁ Ι ଏହି ଯୁଦ୍ଧର ପରିଣତି ସ୍ୱରୂପ ଯେଉଁ କୁଳକ୍ଷୟ ହେବ, ସେଥିରେ ବହୁ ନାରୀ ବୈଧବ୍ୟ ଯନ୍ତ୍ରଣା ଭୋଗ କରିବେ Ι ତନ୍ମଧ୍ୟରୁ କେତେକ ବ୍ୟଭିଚାରିଣୀ ହୋଇ ବର୍ଣ୍ଣଶଙ୍କର ସନ୍ତାନମାନଙ୍କୁ ଜନ୍ମ ଦେବେ ଓ ବଂଶର ଅଧୋଗତି କରାଇବେ ତଥା ବଂଶକୁ ନର୍କଗାମୀ କରାଇବେ Ι ଏ ସମସ୍ତ ପାପରେ ଭାଗୀ ହୋଇ ମୋତେ କେଉଁ ସୁଖ ପ୍ରାପ୍ତ ହେବ? " ବିଷାଦଗ୍ରସ୍ତ, ଶୋକଜର୍ଜରିତ ତଥା ଅଶ୍ରୁପୂର୍ଣ୍ଣ ନୟନ ଯୁଗଳରେ ଅସ୍ତ୍ର ତ୍ୟାଗ କରି ବସିଥିବା ଅର୍ଜୁନଙ୍କୁ କୃଷ୍ଣ ଧୈର୍ଯ୍ୟ ଧରିବାକୁ କହିଲେ Ι ସେ କହିଲେ,"ୟେ ବିଷମ ମୁହୂର୍ତ୍ତରେ, ଯେତେବେଳେ ଶତ୍ରୁ ଅସ୍ତ୍ର ଧରି ସମ୍ମୁଖରେ ପ୍ରହାର ପାଇଁ ଉଦ୍ୟତ, ସେତେବେଳେ ଏ ମାୟା, ମୋହ, ବନ୍ଧନର ଭାବନା ତୁମକୁ ଅନାର୍ଯ୍ୟ, ଅକୀର୍ତ୍ତିକର ଓ ଅଧର୍ମୀ ରୂପେ ପରିଚିତ କରାଇବ Ι ଏତାଦୃଶ କ୍ଳୀବତ୍ଵ ତୁମକୁ ନର୍କଗାମୀ ହେବାରେ ସାହାଯ୍ୟ କରିବ Ι” ଅର୍ଜୁନ କହିଲେ, "ଦେଖନ୍ତୁ ସଖା, ସମ୍ମୁଖରେ ପିତାମହ, ଗୁରୁ ଦ୍ରୋଣ, କୌରବ ଭ୍ରାତାସମୂହ, ମୋର ଜ୍ଞାତି, କୁଟୁମ୍ବ, ମୋର ପ୍ରିୟ ପରିଜନ Ι ଏମାନଙ୍କୁ ଯୁଦ୍ଧରେ ନିଧନ କରି ଐଶ୍ଵର୍ଯ୍ୟ ଭୋଗ କରିବା ଅପେକ୍ଷା ଭିକ୍ଷା କରି ବଞ୍ଚିବା ମୋତେ ଶ୍ରେୟସ୍କର ଲାଗୁଛି Ι ହୁଏ ତ ମୋର ମତି ବିଚଳିତ ହୋଇଛି Ι ହୁଏତ ପ୍ରକୃତ ପନ୍ଥା ନିର୍ଦ୍ଧାରଣ କରିବାପାଇଁ ମୋ ନିକଟରେ ପର୍ଯ୍ୟାପ୍ତ ଜ୍ଞାନର ସମ୍ବଳ ନାହିଁ Ι ମୋତେ ଦିଗ୍ ଦର୍ଶନ ଦିଅନ୍ତୁ Ι ମୁଁ ଆପଣଙ୍କର ଶରଣାପନ୍ନ ହେଉଛି Ι ଆପଣ ମୋର ଗୁରୁ ଭାବରେ ମୋତେ ଉଚିତ ମାର୍ଗ ପ୍ରଦର୍ଶନ କରନ୍ତୁ Ι ହୁଏତ ବିଜୟ ହେବ, ନିଷ୍କଣ୍ଟକ ପଞ୍ଚରାଜ୍ୟ ଭୋଗିବେ ପାଣ୍ଡବେ Ι ଏହାବି ସମ୍ଭବ, ସ୍ୱର୍ଗସୁଖ ଆସିପାରେ ହସ୍ତେ, କିନ୍ତୁ ଏ ଇନ୍ଦ୍ରିୟ ? ମନ ଓ ହୃଦୟ ଯେବେ ପ୍ରିୟ ପରିଜନ ନାଶି ବିଳପିବ ଅଧୀର ଆବେଗେ, କେଉଁ ରୂପେ ଶାନ୍ତ ହେବ ଚିତ୍ତ ତାହା ପାରୁନାହିଁ ଜାଣି Ι” ଶ୍ରୀକୃଷ୍ଣ ହସିଲେ Ι କହିଲେ, ଯେଉଁମାନଙ୍କ ପାଇଁ ଶୋକ କରିବା କଥା ନୁହେଁ, ସେମାନଙ୍କ ପାଇଁ ଦୁଃଖ କରୁଅଛ Ι ଅଥଚ ପଣ୍ଡିତମାନେ ଜୀବିତ କିମ୍ବା ମୃତ କାହାରି ପାଇଁ ଶୋକ କରନ୍ତି ନାହିଁ କାରଣ, ଏଠାରେ କିମ୍ବା ଅନ୍ୟତ୍ର ଯେଉଁମାନେ ଏବେ ବିଦ୍ୟମାନ, ସେମାନେ, ପୂର୍ବରୁ ଥିଲେ, ଏବେ ଅଛନ୍ତି ଏବଂ ରହିବେ ମଧ୍ୟ Ι ଏହି ସ୍ଥୂଳ ଶରୀରରେ ନାନା ପରିବର୍ତ୍ତନ ହୁଏ Ι ଶୈଶବ, କୈଶୋର, ଯୌବନ ଓ ବାର୍ଦ୍ଧକ୍ୟ ଆଦି ଭିନ୍ନ ଭିନ୍ନ ଅବସ୍ଥାରେ ଶରୀରର ରୂପ ପରିବର୍ତ୍ତିତ ହେଉଥାଏ Ι ଆତ୍ମା ବି ବଦଳେ କିନ୍ତୁ ତାର କ୍ଷୟ ନାହିଁ Ι ଅକ୍ଷୟ ଅବିନାଶୀ ଏହି ଆତ୍ମା ପାଇଁ ଚିନ୍ତା କରିବାର ଆବଶ୍ୟକତା କଣ ଅଛି ?” ଶ୍ରୀକୃଷ୍ଣ କହିଲେ,”ହେ କିରୀଟୀ, ଯେଉଁ ଇନ୍ଦ୍ରିୟ ସମୂହ ତୁମକୁ ଶୀତ , ତାପ ଅନୁଭବ କରାଉଛନ୍ତି କିମ୍ବା ସୁଖ, ଦୁଃଖ ଓ ମାୟା ମୋହରେ ଜଡିତ କରାଉଛନ୍ତି, ସେମାନଙ୍କ ପ୍ରଭାବ କେବଳ ଆମ ଶରୀର ଉପରେ ହିଁ ସିମୀତ Ι ଇନ୍ଦ୍ରିୟର ସମ୍ବନ୍ଧ ଅନିତ୍ୟ Ι ସମସ୍ତ ଅନିତ୍ୟ ବସ୍ତୁ ଭଳି ଏହାର ସ୍ଥାୟିତ୍ୱ ନାହିଁ, କିମ୍ବା ଆତ୍ମା ଭଳି ନିତ୍ୟ ବସ୍ତୁର ବିନାଶ ନାହିଁ Ι ତେଣୁ ହେ ବିବତ୍ସ, ଉଠ, ଯୁଦ୍ଧ କର Ι ଯେଉଁମାନେ ଭାବନ୍ତି ଯେ ଆତ୍ମା ହତ୍ୟା କଲା ବା ନିହତ ହେଲା, ସେମାନେ ଜାଣିବା ଉଚିତ ଯେ "ନ ଜାୟତେ ମ୍ରିୟତେ ବା କଦାଚିତ୍, ନାୟଂ ଭୂତ୍ୱା, ଭବିତା ନା ଭୂୟଃ, ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ, ନ ହନ୍ୟତେ ହନ୍ୟମାନେ ଶରୀରେ Ι" ଆତ୍ମା ଜନ୍ମ ହୁଏ ନାହିଁ Ι ତାର ମୃତ୍ୟୁ ନାହିଁ Ι ଶରୀର ବିନଷ୍ଟ ହେଲେ ମଧ୍ୟ ଆତ୍ମା ନଷ୍ଟ ହୁଏ ନାହିଁ Ι ତେଣୁ ତୁମେ ଯଦି ଭାବୁଥାଅ, କାହାକୁ ହତ୍ୟା କରୁଛ ବୋଲି ତାହା ତୁମର ଭ୍ରମ Ι "ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି, ତଥା ଶରୀରାଣି ବିହାୟ ଜୀର୍ଣ୍ଣାନ୍ୟନ୍ୟାନି ସଂଯାତି ନବାନି ଦେହି Ι” ପୁରାତନ ବସ୍ତ୍ର ସଦୃଶ ଜୀର୍ଣ୍ଣ ଶରୀରକୁ ପରିତ୍ୟାଗ କରି, ମନୁଷ୍ୟ ନୂତନ ବସ୍ତ୍ର ଗ୍ରହଣ କଲାପରି ନୂତନ ଏକ ଶରୀର ଧାରଣ କରେ Ι “ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ, ନଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ” Ι ଆତ୍ମାକୁ ଶସ୍ତ୍ର ଛିନ୍ନ କରିପାରେ ନାହିଁ Ι ଅଗ୍ନି ଦଗ୍ଧ କରିପାରେନାହିଁ Ι ଜଳ ଆର୍ଦ୍ର କରିପାରେ ନାହିଁ କିମ୍ବା ବାୟୁ ଶୁଷ୍କ କରିପାରେ ନାହିଁ Ι ଯଦି ଆତ୍ମାର ଏହି ସ୍ଥାୟିତ୍ୱ ସମ୍ପର୍କରେ ତୁମର ସନ୍ଦେହ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ, ତଥାପି ମଧ୍ୟ ତୁମେ ଶୋକ କରିବାର କିଛି କାରଣ ନାହିଁ Ι ”ଜାତସ୍ୟ ହିଁ ଧ୍ରୁବୋ ମୃତ୍ୟୁ ,ଧ୍ରୁବଂ ଜନ୍ମ ମୃତସ୍ୟ ଚ Ι” ଜନ୍ମ ହେଲେ ମୃତ୍ୟୁ ଓ ମୃତ୍ୟୁ ହେଲେ ପୁନର୍ବାର ଜନ୍ମ ନିଶ୍ଚିତ Ι ତେଣୁ ଏହି ଶରୀରର ଅପରିହାର୍ଯ୍ୟ ପରିଣତି ବିଷୟରେ ଦୁଃଖ କରିବାର କଣ ଅଛି ? ଶ୍ରୀକୃଷ୍ଣ କହିଲେ, ' କ୍ଷିତି , ଆପ୍, ତେଜ ,ମରୁତ ଓ ବ୍ୟୋମ , ଏହି ପଞ୍ଚ ମହାଭୂତରୁ ଶରୀର ନିର୍ମିତ ହୋଇଛି Ι ଜନ୍ମ ପୂର୍ବରୁ ଏହା ଅବ୍ୟକ୍ତ ଥିଲା, ଅର୍ଥାତ ୟା ବିଷୟରେ କିଛି ଜଣା ନ ଥିଲା Ι ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ଶରୀର ବିଷୟ ବ୍ୟକ୍ତ ବେବାକୁ ଲାଗିଲା Ι ମୃତ୍ୟୁ ପରେ ପୁନଶ୍ଚ ଏହା ଅବ୍ୟକ୍ତ ହୋଇଯିବ Ι ତତ୍ର କା ପରିବେଦନା? ଚିନ୍ତା କାହିଁକି ? ହେ କ୍ଷତ୍ରିୟ ଶ୍ରେଷ୍ଠ ମଧ୍ୟମ ପାଣ୍ଡବ, ତୁମର ସମ୍ମୁଖରେ ସ୍ୱର୍ଗର ଦ୍ୱାର ଉନ୍ମୁକ୍ତ Ι ଯୁଦ୍ଧ କରି କ୍ଷତ୍ରିୟର ଧର୍ମ ପାଳନ କରି ତୁମେ ସ୍ୱର୍ଗ ପଥରେ ଗମନ କରିବ କିମ୍ବା ଯୁଦ୍ଧ ନ କରି ଧର୍ମ ନଷ୍ଟ କରିବ, ତାହା ଚିନ୍ତା କର Ι ଯୁଦ୍ଧ ପରିହାର କଲେ ଅନ୍ୟମାନେ ତୁମକୁ ଦୁର୍ବଳ, ଅସମର୍ଥ ଓ ଭୟାଳୁ ବୋଲି ଅଭିହିତ କରି ତାତ୍ସଲ୍ୟ କରିବେ Ι ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗମ୍, ଜିତ୍ଵା ବା ଭୋକ୍ଷସେ ମହୀଂΙ ତସ୍ମାଦୁତ୍ତିଷ୍ଠ କୌନ୍ତେୟ, ଯୁଦ୍ଧାୟ କୃତ ନିଶ୍ଚୟଃ Ι” "ଜିଣିଲେ ଭୋଗିବ ତୁମେ ନିଷ୍କଣ୍ଟକ ମହୀ, ମୃତ୍ୟୁ ହେଲେ ସ୍ୱର୍ଗପଥେ ଯିବ ଚିନ୍ତା ନାହିଁ Ι " ତେଣୁ ହେ କୌନ୍ତେୟ, ଉଠ, ନିଜର କର୍ତ୍ତବ୍ୟ କର Ι ଯୁଦ୍ଧ କର ପାର୍ଥ, ଅସ୍ତ୍ର ଧାରଣ କର Ι ସୁଖ, ଦୁଃଖ, ଲାଭ କ୍ଷତି, ଜୟ ପରାଜୟ ; ୟେ ସମସ୍ତ ବିରୋଧାଭାଷକୁ ସମାନ ବିଚାର କରି ଯୁଦ୍ଧ କରିବା ତୁମର କର୍ତ୍ତବ୍ୟ ଓ ସେଥିପାଇଁ ତୁମେ ଯୁଦ୍ଧ କରୁଛ ବୋଲି ଭାବି ଯଦି ଯୁଦ୍ଧ କରିବ, ତେବେ ପରିଣାମ ଯାହା ହେଉନା କାହିଁକି , ତୁମର କୌଣସି ପାପ ହେବ ନାହିଁ Ι |
“ହେ ଶ୍ଵେତବାହନ, ଏ ପର୍ଯ୍ୟନ୍ତ ମୁଁ ତୁମକୁ ସାଂଖ୍ୟ ଯୋଗ ବିଷୟରେ କହିଲି Ι ଏବେ ତୁମକୁ କର୍ମ ଯୋଗ ବିଷୟରେ କହିବି Ι କର୍ମ ଯଦି ନିଷ୍କାମ ଅର୍ଥାତ୍ ସ୍ୱାର୍ଥରହିତ ହୋଇଥାଏ ତେବେ ସେ କର୍ମ ନିଷ୍ଫଳ ହୁଏ ନାହିଁ କିମ୍ବା ସେ କର୍ମରେ ବିଘ୍ନ ମଧ୍ୟ ଘଟେ ନାହିଁ Ι ଅତ୍ୟଳ୍ପ ନିଷ୍କାମ କର୍ମ ମଧ୍ୟ ମନୁଷ୍ୟକୁ ସାଂସାରିକ ଭୟରୁ ରକ୍ଷା କରେ Ι ନିଷ୍କାମ କର୍ମ ଓ ସକାମ କର୍ମ ମଧ୍ୟରେ ପାର୍ଥକ୍ୟ ଅଛି Ι କାମନାରହିତ କର୍ମରେ ଈଶ୍ୱର ପ୍ରାପ୍ତି ର ଆଶା ଥାଏ Ι ସକାମ କର୍ମ କେବଳ ଇନ୍ଦ୍ରିୟମାନଙ୍କର ପରିତୃପ୍ତି ପାଇଁ, ଭୋଗ ବିଳାସ ଓ ଐଶ୍ଵର୍ଯ୍ୟ ଅର୍ଜନ ପାଇଁ ତଥା ଆସକ୍ତିର ଅଧୀନ ହେବାକୁ କରାଯାଇଥାଏ Ι "କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ, ମା କର୍ମ ଫଳ ହେତୁର୍ଭୁର୍ମାତୁ ତେ ସ୍ତ୍ୱଙ୍ଗ କର୍ମଣି" Ι ହେ ପାର୍ଥ, ତୁମର ଅଧିକାର କେବଳ କର୍ମ ଉପରେ ଅର୍ଥାତ ତୁମେ କର୍ମ କରିବା ପାଇଁ ସ୍ୱତନ୍ତ୍ର Ι ପରିଣାମ ତୁମ ଆୟତ୍ତରେ ନାହିଁ Ι ଫଳ ପାଇଁ ଆସକ୍ତି ନ ରଖି, କର୍ମର ସିଦ୍ଧି ବା ଅସିଦ୍ଧିକୁ ସମାନ ଜ୍ଞାନ କରି କର୍ମ କରିଯାଅ Ι ହେ କୌନ୍ତେୟ, ଅପ୍ରାପ୍ତ ବସ୍ତୁ ପ୍ରାପ୍ତି ଆଶାକୁ କ୍ଷେମ ଓ ପ୍ରାପ୍ତ ବସ୍ତୁର ରକ୍ଷଣକୁ ଯୋଗକ୍ଷେମ କହନ୍ତି Ι ୟେ ଉଭୟ ପ୍ରବୃତ୍ତିରୁ ନିବୃତ୍ତ ହେଲେ ହିଁ ଆସକ୍ତିଶୂନ୍ୟ ହୋଇପାରିବ Ι କର୍ମର ସିଦ୍ଧି ଓ ଅସିଦ୍ଧିକୁ ସମାନ ମନେ କରିବାକୁ ଅର୍ଥାତ ସମବୁଦ୍ଧିକୁ ହିଁ 'ଯୋଗ' କୁହାଯାଏ Ι ଅନାସକ୍ତ ରହି କର୍ମ ସମ୍ପାଦନାର ସାଧନାକୁ 'ଯୋଗ' କୁହାଯାଏ Ι ଏହି ସମ ବୁଦ୍ଧିରେ ଯେଉଁ ଜ୍ଞାନୀମାନେ କର୍ମ କରନ୍ତି ସେମାନେ ମୋକ୍ଷ ପ୍ରାପ୍ତ ହୁଅନ୍ତି Ι” ଧନଞ୍ଜୟ ପ୍ରଶ୍ନ କଲେ, “ବୁଦ୍ଧିକୁ ସ୍ଥିର ରଖିପାରୁଥିବା ସ୍ଥିତପ୍ରଜ୍ଞ ଲୋକର ଲକ୍ଷଣ କଣ ?” କେଶବ କହିଲେ ,ଯେଉଁ ବ୍ୟକ୍ତି ସମସ୍ତ କାମନାକୁ ପରିତ୍ୟାଗ କରି ଆତ୍ମାକୁ ପରମାତ୍ମା ସହିତ ଯୋଗ କରିବା ଆନନ୍ଦରେ ମଗ୍ନ ହୁଏ, ସେହି ବ୍ୟକ୍ତିକୁ ସ୍ଥିତପ୍ରଜ୍ଞ ବୋଲି କୁହାଯାଏ Ι “ଦୁଃଖେଷ୍ୱନୁଦ୍ବିଗ୍ନମନାଃସୁଖେଷୁ ବିଗତ ସ୍ପୃହଃ’ ବୀତରାଗ,ଭୟ କ୍ରୋଧଃ ସ୍ଥିତଧିର୍ମୁନିରୁଚ୍ୟତେ Ι ଅର୍ଥାତ୍ ଦୁଃଖରେ ବିଚଳିତ ହେଉ ନ ଥିବ, ସୁଖରେ ଉତ୍ଫୁଲ୍ଲିତ ହେଉ ନ ଥିବ, ଅନୁରାଗ (ପ୍ରେମ), ଭୟ ଓ କ୍ରୋଧ ବର୍ଜନ କରିଥିବା ଋଷିପ୍ରତିମ ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କହନ୍ତି Ι କଚ୍ଛପ ଯେପରି ଏକ ଦୃଢ ଖୋଳପା ଅନ୍ତରାଳରେ ତାର ସମସ୍ତ ଶରୀରକୁ ଲୁଚାଇ ରଖେ, ସେହିପରି ଯେଉଁ ବ୍ୟକ୍ତି କାମ କ୍ରୋଧ, ଲୋଭ, ମୋହ ଆଦିରୁ ଇନ୍ଦ୍ରିୟମାନଙ୍କୁ ସଂହରଣ[ଆୟତ୍ତ] କରନ୍ତି, ତାଙ୍କୁ ସ୍ଥିତପ୍ରଜ୍ଞ କହନ୍ତି Ι କିନ୍ତୁ ହେ ଅର୍ଜୁନ, ଏହା ଏତେ ସହଜ ନୁହେଁ Ι ମୋକ୍ଷପାଇଁ ଯତ୍ନଶୀଳ ଏହି ବିବେକୀମାନଙ୍କ ମନକୁ ବିକ୍ଷୋଭକାରୀ ଇନ୍ଦ୍ରିୟମାନେ ବାରମ୍ବାର ବିପଥଗାମୀ କରାଇବାକୁ ଚେଷ୍ଟା କରୁଥାନ୍ତି Ι ପୁରୁଷୋତ୍ତମ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ”ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିଥିବା ବ୍ୟକ୍ତିଙ୍କର ଚିତ୍ତ ସର୍ବଦା ପ୍ରସନ୍ନ ଥାଏ ଓ ସେ ସର୍ବଦା ଶାନ୍ତିରେ ବାସ କରନ୍ତି Ι ଯେଉଁ ବ୍ୟକ୍ତି ଅଜିତେନ୍ଦ୍ରିୟ ଅର୍ଥାତ୍ ଇନ୍ଦ୍ରିୟମାନଙ୍କର ଅଧୀନ, ସେ ସର୍ବଦା ଅପ୍ରସନ୍ନ, ଅଶାନ୍ତ ଓ ଅସୁଖୀ ଥାଏ Ι ମୋକ୍ଷଲାଭ ତା ପାଇଁ ସ୍ୱପ୍ନ Ι ଅର୍ଜୁନ ପଚାରିଲେ, "ପ୍ରଭୁ, ଆପଣଙ୍କ ମତରେ ଯଦି କର୍ମଯୋଗଠାରୁ ବୁଦ୍ଧି ବା ଜ୍ଞାନ ଯୋଗ ଶ୍ରେଷ୍ଠ ,ତେବେ ମୋତେ ଏହି ହିଂସାଯୁକ୍ତ ଯୁଦ୍ଧରେ ପ୍ରବୃତ୍ତ ହେବାପାଇଁ କହିବାର କାରଣ କଣ ?କେଶବ କହିଲେ,"କର୍ମ ନ କରି ତୁମେ ତତ୍ତ୍ୱ ଜ୍ଞାନ ପ୍ରାପ୍ତ ହୋଇ ପାରିବ ନାହିଁ କିମ୍ବା ତୁମ୍ଭର ଚିତ୍ତ ଶୁଦ୍ଧି ହୋଇ ପାରିବ ନାହିଁ Ι ହସ୍ତ, ପଦ ଆମର କର୍ମେନ୍ଦ୍ରିୟ Ι ସେମାନଙ୍କୁ ଲଗାଇ ଆମେ ଯଦି ଇନ୍ଦ୍ରିୟମାନଙ୍କର ଉଦ୍ଦେଶ୍ୟ ପୂରଣ କରନ୍ତି ତେବେ ଆମକୁ ମୂଢଆତ୍ମା ଓ କପଟୀ ବୋଲି କୁହାଯିବ Ι ଇନ୍ଦ୍ରିୟମାନଙ୍କୁ ଆୟତ୍ତ କରି ଯିଏ କର୍ମ ସମ୍ପାଦନା କରିପାରେ ସିଏ ହିଁ ଶ୍ରେଷ୍ଠ ବ୍ୟକ୍ତି Ι ତୁମକୁ କର୍ମ କରିବାକୁ ହେବ Ι କର୍ମ ନ କରି ତୁମେ ନିଜର ଜୀବିକା ନିର୍ବାହ କରିପାରିବ ନାହିଁ Ι ତୁମର କର୍ମାନୁଷ୍ଥାନରୁ ଇତର ଜନମାନେ ପ୍ରେରଣା ଲାଭ କରିବେ କାରଣ ମହାଜନୋ ଯେନ ଗତଃ ସ ପନ୍ଥା Ι ମୋତେ ଦେଖ Ι ମୋର ଆବଶ୍ୟକ ନାହିଁ କିଛି କର୍ମ କରିବା Ι ବିନା କର୍ମରେ ମୋତେ ସବୁ କିଛି ପ୍ରାପ୍ତ ହୋଇ ପାରିବ Ι କିନ୍ତୁ ମୁଁ କର୍ମ କରୁଛି, କାରଣ ମୋତେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ହେବ Ι ଅଜ୍ଞାନୀ ଲୋକେ ଆସକ୍ତ ରହି କର୍ମ କରନ୍ତି, ଜ୍ଞାନୀ ଲୋକେ ଅନାସକ୍ତ ରହି ଲୋକମାନଙ୍କୁ ସ୍ୱଧର୍ମ ଅନୁସରଣ କରି କର୍ମ କରିବାକୁ ପ୍ରେରଣା ଦେଇଥାନ୍ତି Ι ହେ ପାର୍ଥ, ସମସ୍ତ କର୍ମ ମୋଠାରେ ସମର୍ପଣ କର Ι ମୋ ଅଧୀନରେ କର୍ମ କରୁଛ ବୋଲି ଚିନ୍ତା କରି ନିଷ୍କାମ, ବନ୍ଧନ ଶୂନ୍ୟ ଓ ଶୋକଶୂନ୍ୟ ହୋଇ ଯୁଦ୍ଧ କର Ι "ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ୱନୁଷ୍ଠିତାତ୍. ସ୍ଵଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ" Ι ତୁମେ ଯେତେ ଉତ୍ତମ ଭାବରେ ଅନ୍ୟଧର୍ମ ପାଳନ କରିଲେ ମଧ୍ୟ, ଅଳ୍ପ କିଛି ନିଜ ଧର୍ମ ପାଳନ କରିବା ତା ଠାରୁ ବହୁଗୁଣରେ ଶ୍ରେୟସ୍କର ଅଟେ Ι ବରଂ ନିଜ ଧର୍ମରେ ମୃତ୍ୟୁ ବରଣ କରିବ, ପରଧର୍ମରେ ପ୍ରବୃତ୍ତ ହେବନାହିଁ Ι ତାହା ଭୟାବହ ଅଟେ Ι କିରୀଟୀ ପ୍ରଶ୍ନ କଲେ, “ହେ କରୁଣାକର,ଜଗତ୍ପତେ, ମଣିଷକୁ ପାପ ଆଚରଣ କରିବାକୁ କିଏ ବାଧ୍ୟ କରିଥାଏ ?" ଭଗବାନ କହିଲେ, "କାମ ହେଉଛି କ୍ରୋଧର କାରଣ Ι ଏହା ରଜୋଗୁଣରୁ ଉତ୍ପନ୍ନ, ଏହି କାମନା ହିଁ ମନୁଷ୍ୟର ମୋକ୍ଷ ମାର୍ଗର ଶତ୍ରୁ ଭଳି କାର୍ଯ୍ୟ କରିଥାଏ Ι ଇନ୍ଦ୍ରିୟ, ମନ ଓ ବୁଦ୍ଧି କାମନାର ଉତ୍ପତ୍ତି ସ୍ଥଳ ବୋଲି କୁହାଯାଏ Ι ଏମାନେ ଦେହଧାରୀଙ୍କୁ ମୋହିତ କରି ପାପ କରାଇଥାନ୍ତି Ι ଦେହ ଅପେକ୍ଷା ଇନ୍ଦ୍ରିୟମାନଙ୍କର ସ୍ଥାନ ଉଚ୍ଚରେ କାରଣ ଦେହ ଇନ୍ଦ୍ରିୟମାନଙ୍କର ବଶୀଭୂତ Ι ଇନ୍ଦ୍ରିୟଠାରୁ ମନ ଶ୍ରେଷ୍ଠ, କାରଣ ମନ ଇନ୍ଦ୍ରିୟମାନଙ୍କୁ ପ୍ରବର୍ତ୍ତାଇ ପରିଚାଳନା କରେ Ι ମନ ଅପେକ୍ଷା ବୁଦ୍ଧି ଶ୍ରେଷ୍ଠ କାରଣ ବୁଦ୍ଧି ଦ୍ୱାରା ମନ ନିୟନ୍ତ୍ରିତ ହୁଏ Ι ବୁଦ୍ଧିଠାରୁ ଯିଏ ଶ୍ରେଷ୍ଠ ତାକୁ 'ଆତ୍ମା' ବୋଲି ସ୍ଵୀକାର କରାଯାଇଛି Ι ତେଣୁ ବୁଦ୍ଧି ଦ୍ୱାରା କାମ ରୂପକ ଶତ୍ରୁକୁ ବିନାଶ କର ଓ ଆତ୍ମା ଉପରେ ଆସ୍ଥା ସ୍ଥାପନ କର Ι କର୍ମ କର ସବ୍ୟସାଚୀ, ଅସ୍ତ୍ର ଧାରଣ କର ଓ ଯୁଦ୍ଧ କର Ι |
ଅର୍ଜୁନ ପଚାରିଲେ, "ଏବେ ମୋର ସନ୍ଦେହ ହେଉଛି ଯେ, କର୍ମ ଯୋଗ (କର୍ମାନୁଷ୍ଠାନ) ଓ କର୍ମସନ୍ନ୍ୟାସ (କର୍ମ ତ୍ୟାଗ) ମଧ୍ୟରେ କିଏ ଅଧିକ ଉତ୍ତମ Ι ଶ୍ରୀକୃଷ୍ଣ କହିଲେ, "କର୍ମତ୍ୟାଗ କରି ସନ୍ୟାସୀ ହେବା ଅପେକ୍ଷା କର୍ମ କରିବା ନିଶ୍ଚିତ ଶ୍ରେୟସ୍କର, କିନ୍ତୁ ଏହି କର୍ମ ଆକାଂକ୍ଷା ରହିତ ହୋଇଥିବା ଆବଶ୍ୟକ Ι ଏପରି କର୍ମ କରୁଥିବା କର୍ମଯୋଗ ଓ କର୍ମସନ୍ୟାସ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ, କିନ୍ତୁ କର୍ମ ବିନା କେବଳ ସନ୍ନ୍ୟାସ ଦୁଃଖପ୍ରାପ୍ତିର କାରଣ ହୁଏ Ι ଅନାସକ୍ତ ବ୍ୟକ୍ତି ଦର୍ଶନ, ଶ୍ରବଣ, ସ୍ପର୍ଶ, ଘ୍ରାଣ ଆଦି କର୍ମ କରୁଥିଲେ ସୁଦ୍ଧା ସେ ଏ ସବୁ ଆପେ ଆପେ ହେଉଛି ଓ ମୁଁ କିଛି କରୁନାହିଁ ବୋଲି ଜ୍ଞାନ କରନ୍ତି Ι ତେଣୁ ପଦ୍ମପତ୍ରରେ ଜଳ ଭଳି ପାପ ଏମାନଙ୍କୁ ସ୍ପର୍ଶ କରିପାରେ ନାହିଁ Ι ବ୍ରହ୍ମବିଦ୍ ପଣ୍ଡିତମାନେ ବ୍ରାହ୍ମଣ, ଚଣ୍ଡାଳ, ଗାଭୀ, ଗଜ କିମ୍ବା ଶ୍ଵାନ ମଧ୍ୟରେ ପ୍ରଭେଦ ଦେଖନ୍ତି ନାହିଁ Ι ବ୍ରହ୍ମ ସର୍ବତ୍ର ସମଭାବରେ ଅବସ୍ଥିତ Ι ଏଣୁ ସମଭାବ ପୋଷଣ କରୁଥିବା ବ୍ୟକ୍ତି ସୁଖୀ ହୁଅନ୍ତି Ι ହେ ବିବତ୍ସ, ଯଦି ବ୍ୟକ୍ତି ବାହ୍ୟ ସ୍ପର୍ଶ ଓ ବାହ୍ୟ ଇନ୍ଦ୍ରିୟ ସୁଖରେ ମୋହିତ ହୁଏ, ସେ ଅନ୍ତର ମଧ୍ୟରେ ସାତ୍ତ୍ଵିକ ସୁଖ ପାଇ ପାରେନାହିଁ Ι ମନକୁ ବା ଆତ୍ମାକୁ ଜୟ କରିଥିବା ବ୍ୟକ୍ତି ପ୍ରଶାନ୍ତ ଚିତ୍ତ ଅଟେ Ι ସେ ସୁଖ ଦୁଃଖ, ମାନ ଅପମାନ, ଶତ୍ରୁ ମିତ୍ର ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି Ι ଧ୍ୟାନ ବା ଯୋଗ କରିବା ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅଛି Ι ସେହି ପ୍ରକ୍ରିୟାରେ ମନକୁ ସମାହିତ କରି ନିର୍ବାଣ ପ୍ରାପ୍ତ ହୁଅନ୍ତି Ι ଏହି ଯୋଗ ବା ସମାଧି ଅତ୍ୟଧିକ ଭୋଜନ ଓ ଶୟନ କିମ୍ବା ଅତ୍ୟଳ୍ପ ଭୋଜନ ଓ ଶୟନ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ସମ୍ଭବ ନୁହେଁ Ι ଚିତ୍ତକୁ ନିଶ୍ଚଳ ରଖି ବିଶୁଦ୍ଧ ମନ ଆତ୍ମଦର୍ଶନ କରିବାକୁ ଯୋଗ କୁହାଯାଏ Ι ମନ ଚଞ୍ଚଳ ଓ ଅସ୍ଥିର Ι ବିଭିନ୍ନ ଦିଗକୁ ଗତି କରୁଥିବା ଏହି ମନକୁ ସବୁ ଆଡୁ ଫେରାଇ ଆଣି ଆତ୍ମାରେ ଯୁକ୍ତ କରି ତାକୁ ସ୍ଥିର କରିବ Ι ସର୍ଵଭୂତରେ ସମଦୃଷ୍ଟି ରଖିବ ଓ ଆତ୍ମାକୁ ସର୍ବଭୂତରେ ଦର୍ଶନ କରିବ ଏବଂ ଆତ୍ମାରେ ସକଳ ଭୂତଙ୍କ ଦର୍ଶନ କରିବ Ι” ଅର୍ଜୁନ ଏହି ସର୍ବ ଭୂତରେ ସମ ଜ୍ଞାନ ସମ୍ପର୍କରେ ଭଲ ଭାବରେ ବୁଝାଇବାକୁ ଅନୁରୋଧ କଲେ Ι ସେ କହିଲେ, "ଇନ୍ଦ୍ରିୟମାନଙ୍କୁ ସଂଯତ ରଖିବା ଏତେ ସହଜ ନୁହେଁ Ι” ମାଧବ କହିଲେ, " ହେ ପାର୍ଥ, ଅଭ୍ୟାସ ଦ୍ୱାରା ଏବଂ ବୈରାଗ୍ୟ ଆଚରଣ ଦ୍ୱାରା ମନକୁ ଆୟତ୍ତ କରାଯାଇପାରେ Ι ଅସଂଯତ ମନ ସହିତ କେହି ଯୋଗ କରିପାରେ ନାହିଁ Ι "ଅର୍ଜୁନ ଯୋଗଭ୍ରଷ୍ଟ ବ୍ୟକ୍ତିର ପରିଣାମ ବିଷୟରେ ଜାଣିବାକୁ ଚାହିଁବାରୁ ନାରାୟଣ କହିଲେ, "ଯୋଗରୁ ଭ୍ରଷ୍ଟ ହୋଇଥିବା ବ୍ୟକ୍ତି କେବେ ବି ଦୁର୍ଗତି ପ୍ରାପ୍ତ ହୁଏ ନାହିଁ Ι ପର ଜନ୍ମରେ ସେ ଧନଵାନ କିମ୍ବା ବୁଦ୍ଧିମାନ ଲୋକଙ୍କ ଗୃହରେ ଜନ୍ମ ଗ୍ରହଣ କରେ ଓ ପୂର୍ବ ଅଭ୍ୟାସ ବଶରୁ ମୋକ୍ଷ ବିଷୟରେ ଅଧିକ ଯତ୍ନ କରେ Ι ହେ କୁନ୍ତୀନନ୍ଦନ,ତପସ୍ଵୀମାନଙ୍କଠାରୁ, ଜ୍ଞାନୀମାନଙ୍କଠାରୁ ଓ କର୍ମୀମାନଙ୍କଠାରୁ ମଧ୍ୟ ଯୋଗୀ ଶ୍ରେଷ୍ଠ ଅଟନ୍ତି Ι ଯେଉଁ ବ୍ୟକ୍ତି ମୋଠାରେ ଅନ୍ତରାତ୍ମା ନିହିତ କରି ଓ ଶ୍ରଦ୍ଧାବାନ୍ ହୋଇ ମୋର ଭଜନ କରେ ସେ ଶ୍ରେଷ୍ଠ ଯୋଗୀ ଅଟେ Ι ଶ୍ରୀହରି କହିଲେ , "ହେ ମଧ୍ୟମ ପାଣ୍ଡବ, ପ୍ରକୃତି ଅପରା ଓ ପରା ଦୁଇ ଭାଗରେ ବିଭକ୍ତ Ι ଅପରା ପ୍ରକୃତି ଭୂମି, ଜଳ, ଅନଳ, ବାୟୁ, ଆକାଶ, ମନ ବୁଦ୍ଧି ଓ ଅହଂକାର, ଏହି ଆଠ ପ୍ରକାରର Ι ଏସବୁ ନିକୃଷ୍ଟ ପ୍ରକୃତି Ι ପରା ବା ଉତ୍କୃଷ୍ଟ ପ୍ରକୃତି ହିଁ ଏ ଜଗତକୁ ଧାରଣ କରିଅଛି Ι ଏହି ଦୁଇ ପ୍ରକାର ପ୍ରକୃତି ରୁ ସ୍ଥାବର ଜଙ୍ଗମ ଆଦି ଜାତ ହୋଇଛନ୍ତି Ι ହେ ଧନଞ୍ଜୟ, ମୋ ଉପରେ ବା ମୋ ଠାରୁ ଶ୍ରେଷ୍ଠ କିଛି ନାହିଁ Ι ମୁଁ ବୁଦ୍ଧିମାନମାନଙ୍କର ବୁଦ୍ଧି ଓ ତେଜସ୍ୱୀମାନଙ୍କର ତେଜ ସ୍ୱରୂପ Ι ସାତ୍ତ୍ଵିକ, ରାଜସିକ ଓ ତାମସିକ ଗୁଣମାନେ ମୋ ଠାରୁ ଉତ୍ପନ୍ନ ହେଲେ ମଧ୍ୟ ମୁଁ ସେମାନଙ୍କର ଅଧୀନ ନୁହେଁ Ι ମୋତେ ଚାରିପ୍ରକାର ଲୋକ ଭଜନ କରନ୍ତି Ι ଆର୍ତ୍ତ, ଜିଜ୍ଞାସୁ (ଆତ୍ମଜ୍ଞାନ ଅଭିଳାଷୀ ) ,ଅର୍ଥାର୍ଥୀ (ଧନ ଆଶା କରୁଥିବା ବ୍ୟକ୍ତି ) ଓ ଜ୍ଞାନୀ ବା ତତ୍ତ୍ୱଜ୍ଞ Ι ଏମାନଙ୍କ ମଧ୍ୟରେ ଜ୍ଞାନୀମାନେ ହିଁ ମୋର ପ୍ରିୟ ଅଟନ୍ତି Ιମରଣ ସମୟରେ ଅବିଚଳିତ ମନରେ ଭକ୍ତିଯୁକ୍ତ ହୋଇ ଦୁଇ ଭ୍ରୂଲତା ମଧ୍ୟରେ ପ୍ରାଣ ବାୟୁକୁ ସମାବେଶ କରି ଯିଏ ଯୋଗ କରେ ସେ ମୋତେ ପ୍ରାପ୍ତ ହୁଏ Ι ଓଁ ରୂପକ ଅକ୍ଷର ବ୍ରହ୍ମକୁ ଉଚ୍ଚାରଣ କରି ମୋତେ ସ୍ମରଣ ପୂର୍ବକ କଳେବର ପରିତ୍ୟାଗ କଲେ ବ୍ୟକ୍ତି ପରମ ଗତି ପ୍ରାପ୍ତ ହୁଏ Ι "ମାମୂପେତ୍ୟ ତୁ କୌନ୍ତେୟ, ପୁନର୍ଜନ୍ମ ନ ବିଦ୍ୟତେ" Ι ମୋଠାରେ ଲୀନ ହେଲା ପରେ ଆଉ ପୁନର୍ଜନ୍ମ ହୁଏ ନାହିଁ Ι |
ସର୍ବୋପନିଷଦୋ ଗାବୋ, ଦୋଗ୍ଧା ଗୋପାଳନନ୍ଦନଃ, ପାର୍ଥୋ ଵତ୍ସଃ ସୁଧୀର୍ଭୋକ୍ତା, ଦୁଗ୍ଧମ୍ ଗୀତାମୃତମ୍ ମହତ୍ Ι ସମସ୍ତ ଉପନିଷଦ ଗାଭୀ ସଦୃଶ, ଦୁଗ୍ଧ ହେଉଛି ଗୀତା ଏବଂ ଗୋଦୋହନ କରୁଛନ୍ତି କୃଷ୍ଣ Ι ବତ୍ସା ତୁଲ୍ୟ ପାର୍ଥ ସେହି ଦୁଗ୍ଧପାନ କରୁଛନ୍ତି Ι ପ୍ରଭୁ ପୀତବାସ କହିଲେ, ହେ ଅର୍ଜୁନ, "ତୁମର ଓ ମୋର ଜନ୍ମ ବାର ବାର ହୋଇଯାଇଛି Ι ମୋର ଜ୍ଞାନ ଜାଗ୍ରତ ଥିବାରୁ ମୋର ସେ ସବୁ ମନେ ଅଛି Ι ତୁମର ଜ୍ଞାନ ସୁପ୍ତ ଥିବାରୁ ତୁମେ ଭୁଲି ଯାଇଛ Ι ପ୍ରକୃତରେ ମୋର ଜନ୍ମ ନାହିଁ, ମୃତ୍ୟୁ ନାହିଁ, କିନ୍ତୁ ମୁଁ ମାୟାର ଅଧୀନ ହୋଇ ଜନ୍ମଲାଭ କରିଥାଏଁ Ι "ଯଦା ଯଦା ହି ଧର୍ମସ୍ୟ ..... "ଯେତେବେଳେ ଧର୍ମର ହାନି ହୋଇ ପାପ ଭାରା ଅଧିକ ହୋଇଯାଏ, ଦୁଷ୍ଟମାନଙ୍କୁ ସଂହାର କରି, ସାଧୁଜନମାନଙ୍କୁ ପରିତ୍ରାଣ କରିବାକୁ ମୋତେ ଏହିପରି ଜନ୍ମଲାଭ କରିବାକୁ ପଡିଥାଏ Ι ମୋର ଏହି ଜନ୍ମ ଓ ମୃତ୍ୟୁ ସମ୍ପର୍କରେ ପ୍ରକୃତ ଜ୍ଞାନ ଥିବା ବ୍ୟକ୍ତିମାନେ ମୋକ୍ଷ ପ୍ରାପ୍ତ ହୁଅନ୍ତି Ι "ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହଂ Ι" ଯିଏ ଯେଉଁପରି ମୋତେ ଭଜନ କରନ୍ତି ,ମୁଁ ସେମାନଙ୍କୁ ସେହିପରି ଅନୁଗ୍ରହ କରିଥାଏଁ ମନୁଷ୍ୟ ମୋତେ ଯେଉଁ ରୂପରେ ଆରାଧନା କରେ, ମୁଁ ତାକୁ ସେହି ରୂପରେ ପ୍ରାପ୍ତ ହୋଇଥାଏଁ Ι ହେ ପାର୍ଥ, ମୁଁ ଗୁଣ କର୍ମ ଅନୁଯାୟୀ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଚାରି ପ୍ରକାର ବର୍ଣ୍ଣ ସୃଷ୍ଟି କରିଅଛି Ι କିନ୍ତୁ ଏହି ବର୍ଣ୍ଣବିଭାଗର ମୁଁ କର୍ତ୍ତା ହେଲେ ମଧ୍ୟ ଆସକ୍ତିଶୂନ୍ୟତା ହେତୁ ମୋତେ ଅକର୍ତ୍ତା ବୋଲି ଜ୍ଞାନ କର Ι ହେ ଅର୍ଜୁନ, "କର୍ମ, ବିକର୍ମ ଓ ଅକର୍ମ ତ୍ରୟର ଅର୍ଥ ଅତି ଗହନ Ι ଶାସ୍ତ୍ରାନୁମୋଦିତ ବିହିତ କର୍ମ କରିବା ହେଉଛି କର୍ମ, ନିଷିଦ୍ଧ କର୍ମ କରିବା ହେଉଛି ବିକର୍ମ ଓ ଆଦୌ କର୍ମ ନ କରିବା ହେଲା ଅକର୍ମ Ι କାମନା ରହିତ କର୍ମ ,ତାହା ଶରୀର ଯାତ୍ରାର ଉଦ୍ଦେଶ୍ୟରେ ହୋଇଥିଲେ ମଧ୍ୟ ସେଥିରେ ପାପ ନାହିଁ Ι ଯେ ବୈରଭାବନା ତ୍ୟାଗ କରିଛି, ଶୀତ ତାପକୁ ସମାନ ଜ୍ଞାନ କରିଛି ଓ ସିଦ୍ଧି ଅସିଦ୍ଧି ମଧ୍ୟରେ ପ୍ରଭେଦ ଦେଖୁନାହିଁ, ସେ କର୍ମ କରୁଥିଲେ ମଧ୍ୟ ସଂସାର ବନ୍ଧନରେ ଆବଦ୍ଧ ହୁଏ ନାହିଁ Ι ଜ୍ଞାନ ସହିତ ସଂଯୋଗକୁ ଯଜ୍ଞ କହନ୍ତି Ι ବିଭିନ୍ନ ପ୍ରକାର ଯଜ୍ଞ ଅଛି Ι କେହି ଦ୍ରବ୍ୟ ଦାନ ଦ୍ୱାରା ଦ୍ରବ୍ୟ ଯଜ୍ଞ, କେହି ତପ ଅନୁଷ୍ଠାନ ଦ୍ୱାରା ତପଯଜ୍ଞ, ନିଷ୍ଠାର ସହ ଵ୍ରତାଦି ପାଳନ ଦ୍ୱାରା ବ୍ରତ ଯଜ୍ଞ, ଚିତ୍ତର ଏକାଗ୍ରତା ପାଇଁ ଯୋଗଯଜ୍ଞ ତଥା ବେଦାଧ୍ୟୟନ, ବେଦ ଶ୍ରବଣ ଓ ମୋକ୍ଷଲାଭ ଆଦି ସମ୍ପର୍କରେ ଯତ୍ନଶୀଳ ହୋଇ ସ୍ୱାଧ୍ୟାୟ ଜ୍ଞାନଯଜ୍ଞ କରନ୍ତି Ι ପ୍ରାଣାୟାମ ମଧ୍ୟ ଏକ ଯଜ୍ଞ Ι ଅପାନ ବାୟୁ, ଅର୍ଥାତ୍ ଅଧୋଗତିଶୀଳ ବାୟୁକୁ ପ୍ରାଣବାୟୁ ଅର୍ଥାତ ଉର୍ଦ୍ଧ୍ୱ ଗତିଶୀଳ ବାୟୁରେ ମିଶାଇ ଏକ କରିବା ଏବଂ ରେଚକ(ପ୍ରାଣବାୟୁର ନିଃସାରଣ) ଓ କୁମ୍ଭକ(ପ୍ରାଣବାୟୁର ଧାରଣ) ଦ୍ୱାରା ପ୍ରାଣବାୟୁ ଓ ଅପାନ ବାୟୁର ଗତିରୋଧ କରିବା ଏହି ପ୍ରାଣାୟାମର ଅନ୍ତର୍ଭୁକ୍ତ Ι ଜ୍ଞାନ ପ୍ରାପ୍ତ ହେବା ପାଇଁ ପ୍ରଥମେ କର୍ମ ଯୋଗରେ ସିଦ୍ଧି ପ୍ରାପ୍ତି ଆବଶ୍ୟକ Ι "ଶ୍ରଦ୍ଧାବାନ୍ ଲଭତେ ଜ୍ଞାନଂ, ତତ୍ପରଃ ସଂଯତେନ୍ଦ୍ରିୟଃ Ι" ଶ୍ରଦ୍ଧା ଥିବା ବ୍ୟକ୍ତି ହିଁ ଜ୍ଞାନ ଲାଭ କରେ Ι ଇନ୍ଦ୍ରିୟମାନଙ୍କୁ ଆୟତ୍ତରେ ରଖି ସଂଯମୀ ହୋଇଥିବା ବ୍ୟକ୍ତି ଜ୍ଞାନ ଲାଭ କରି ଅକ୍ଷୟ ଶାନ୍ତି ଲାଭ କରନ୍ତି Ι ଅଜ୍ଞ, ଶ୍ରଦ୍ଧାହୀନ ଓ ସନ୍ଦେହୀ ବ୍ୟକ୍ତି ଧ୍ୱଂସ ପ୍ରାପ୍ତ ହୁଏ ଏବଂ ଇହ,ପର ଉଭୟ ଲୋକରେ ସୁଖ ପାଏ ନାହିଁ Ι ଯେ ଯୋଗଦ୍ୱାରା ସମସ୍ତ କର୍ମକୁ ପରମେଶ୍ଵରଙ୍କଠାରେ ଅର୍ପଣ କରିଛନ୍ତି, ସେହି ଅନୁରକ୍ତ ବ୍ୟକ୍ତିକୁ କର୍ମଫଳ ଆବଦ୍ଧ କରିପାରେ ନାହିଁ Ι ଏଣୁ ହେ ପାର୍ଥ, ତୁମ୍ଭେ ନିଜର ଜ୍ଞାନ ଦ୍ୱାରା ହୃଦୟର ଅଜ୍ଞାନତାକୁ ଛେଦନ କର ଓ କର୍ମ ଯୋଗ ଆଚରଣ କର Ι ଉଠ ଅର୍ଜୁନ, ଉଠ Ι ଯୁଦ୍ଧ କର Ι ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ଭଗବାନ କହିଲେ, "ଅଭିମାନ ଶୂନ୍ୟ, ଅହଂକାର ଶୂନ୍ୟ ,ଦାମ୍ଭିକତା ବର୍ଜିତ, ଅହିଂସା ,ସହନଶୀଳତା, ସରଳତା, ସଦ୍ ଗୁରୁସେବା, ଶୌଚ, ସନ୍ମାର୍ଗ, ଆତ୍ମସଂଯମ, ଇନ୍ଦ୍ରିୟସଂଯମ, ନିରହଂକାର, ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି ଜନିତ ଦୁଃଖ ଓ ଦୋଷର ପୁନଃ ପୁନଃ ଆଲୋଚନାକୁ ଜ୍ଞାନ ସାଧନ କୁହାଯାଏ Ι ପ୍ରକୃତି ଓ ପୁରୁଷର ସମ୍ପର୍କ ବିଷୟରେ କହିବାକୁ ଯାଇ ସେ କହିଲେ ଯେ ,ପୁରୁଷ ଶରୀରରେ ଅବସ୍ଥାନ କରି ପ୍ରକୃତିଜାତ ଗୁଣ ଭୋଗ କରେ Ι କିନ୍ତୁ ଏହା ଦେହରେ ଥାଇ ସୁଦ୍ଧା ପ୍ରକୃତିଠାରୁ ଭିନ୍ନ Ι ଜଗତ ବିସ୍ତାର ସମ୍ପର୍କରେ ସେ କହିଲେ ଯେ, ସ୍ଥାବର ଜଙ୍ଗମ ଆଦି ଯେଉଁମାନେ ଜନ୍ମ ହୁଅନ୍ତି, ପ୍ରକୃତି ସେମାନଙ୍କର ମାତା ଓ ସର୍ବଶକ୍ତିମାନ ଈଶ୍ୱର ନିଜେ ବୀଜ ଦାତା ପିତା ଅଟନ୍ତି Ι ଗୁଣତ୍ରୟ ବିଷୟରେ ମଧ୍ୟ ପ୍ରଭୁ ଅର୍ଜୁନଙ୍କୁ ବୁଝାଇଲେ Ι ସତ୍ତ୍ଵ ଗୁଣ ନିର୍ମଳ, ତେଣୁ ଉଜ୍ଜ୍ୱଳ ଓ ଶାନ୍ତ Ι ତାହା ବ୍ୟକ୍ତିକୁ ସୁଖୀ ଓ ଜ୍ଞାନୀ କରାଏ Ι ରଜଗୁଣ ତୃଷ୍ଣା ଓ ଆସକ୍ତି ଜାତ କରାଏ Ι ଏହା କର୍ମରୂପକ ବନ୍ଧନରେ ଆବଦ୍ଧ କରେ Ι ତମୋଗୁଣ ଅଜ୍ଞାନରୁ ଜାତ ଓ ମୋହ ମାୟାର କାରଣ Ι ଏହା ଦେହକୁ ପ୍ରମୋଦ, ଆଳସ୍ୟ ଓ ନିଦ୍ରାରେ ଅଭିଭୂତ କରେ Ι ଏମାନଙ୍କ ମଧ୍ୟରୁ କେତେବେଳେ ସତ୍ତ୍ଵ, କେତେବେଳେ ରଜ ଓ କେତେବେଳେ ତମୋଗୁଣ ପ୍ରବଳ ହୋଇଥାନ୍ତି Ι ସତ୍ତ୍ଵଗୁଣ ପ୍ରବଳ ହେଲେ ଜ୍ଞାନାତ୍ମକ ଭାବ ପ୍ରକାଶ ପାଏ Ι ରଜଗୁଣ ପ୍ରବଳ ହେଲେ ଲୋଭ ଅଶାନ୍ତି, ସ୍ପୃହା ଓ ଦ୍ଵନ୍ଦ, ତଥା ତମୋଗୁଣ ପ୍ରାବଲ୍ୟରେ ଵିଵେକହୀନତା, ଉଦ୍ୟମହୀନତା, ପ୍ରମାଦ ଓ ମୋହ ଉତ୍ପନ୍ନ ହୋଇଥାଏ Ι ସତ୍ତ୍ଵଗୁଣ ପ୍ରାବଲ୍ୟ ସମୟରେ ମୃତ୍ୟୁ ହେଲେ ସ୍ୱର୍ଗପ୍ରାପ୍ତି ହୁଏ Ι ରଜଗୁଣ ପ୍ରାବଲ୍ୟରେ ମୃତ୍ୟୁ ହେଲେ କର୍ମାସକ୍ତ ହୋଇ ମନୁଷ୍ୟ ଯୋନିରେ ଜନ୍ମ ହୁଅନ୍ତି ଓ ତମୋଗୁଣ ଅଧିକ ଥିବା ବ୍ୟକ୍ତିର ଦେହାବସାନ ହେଲେ ପଶୁ ଆଦି କୁଳରେ ଜନ୍ମ ହୁଏ Ι ସାତ୍ତ୍ୱିକ ବ୍ୟକ୍ତି ଉର୍ଦ୍ଧ୍ୱ ଲୋକ ଅର୍ଥାତ୍ ଦେବଲୋକ, ରାଜସିକ ବ୍ୟକ୍ତି ମଧ୍ୟ ଲୋକ ଅର୍ଥାତ୍ ମନୁଷ୍ୟ ଲୋକ ଏବଂ ତାମସିକ ବ୍ୟକ୍ତି ଅଧୋଗତି ପ୍ରାପ୍ତ ହୁଅନ୍ତି Ι |
ଶ୍ରୀକୃଷ୍ଣ କହିଲେ,"ହେ ଧନଞ୍ଜୟ, ଯେଉଁମାନେ ଅଭିମାନଶୂନ୍ୟ, ନିର୍ମୋହ,ପୁତ୍ରାଦି ଆସକ୍ତିରହିତ, ଆତ୍ମଜ୍ଞାନରେ ନିଷ୍ଠା, ନିଷ୍କାମ, ଦ୍ଵନ୍ଦ୍ଵ ଓ ସୁଖ ଦୁଃଖ ବିମୁକ୍ତ, ସେହି ଜ୍ଞାନୀଲୋକମାନେ ବିଷ୍ଣୁପଦ ପ୍ରାପ୍ତ ହୁଅନ୍ତି Ι ଦେହରୁ ଦେହାନ୍ତରଗାମୀ ଆତ୍ମାକୁ ଭୋଗଲିପ୍ତ ଇନ୍ଦ୍ରିୟାସକ୍ତ ପ୍ରାଣୀମାନେ ଦେଖିପାରନ୍ତି ନାହିଁ Ι କେବଳ ଜ୍ଞାନ ଚକ୍ଷୁଥିବା ବ୍ୟକ୍ତି ଅର୍ଥାତ୍ ଜ୍ଞାନୀମାନେ ଦେଖିପାରନ୍ତି Ι ମୁଁ ସମସ୍ତଙ୍କ ହୃଦୟରେ ଅନ୍ତର୍ଯାମୀ ରୂପରେ ବିଦ୍ୟମାନ Ι ହେ ଅର୍ଜୁନ, କେହି କେହି ଦୈବୀ ଶକ୍ତିସମ୍ପନ୍ନ ବ୍ୟକ୍ତିଙ୍କଠାରେ ନିଷ୍ଠା, ଦାନ, ଦମ(ସଂଯମ), ଯଜ୍ଞ, ତପ, ସରଳତା, ଅହିଂସା, ସତ୍ୟ, କ୍ରୋଧହୀନତା, ତ୍ୟାଗ, ଶାନ୍ତି, ଅପରକୁ ନିନ୍ଦା ନ କରିବା, ଦୟା, ନିର୍ଲୋଭତା, ମୃଦୁତା, ଅକାର୍ଯ୍ୟରେ ଲଜ୍ଜା, ତେଜ, କ୍ଷମା ସୁଖ ଓ ଦୁଃଖରେ ସମଭାବ, ଶୌଚ,ଦ୍ରୋହଶୂନ୍ୟତା ଓ ଅଭିମାନଶୂନ୍ୟତା ଆଦି ମହତ୍ ଗୁଣମାନ ଦେଖିବାକୁ ମିଳିଥାଏ Ι ଆଉ କେହି ଆସୁରୀ ଶକ୍ତି ସମ୍ପଦ ପ୍ରାପ୍ତ ହୋଇ ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ, ନିଷ୍ଠୁରତା ଓ ଅଜ୍ଞାନତା ଆଦି ଗୁଣମାନ ନେଇ ଜନ୍ମଗ୍ରହଣ କରିଥାନ୍ତି Ι ଦୈବୀ ସମ୍ପଦ ମୋକ୍ଷର କାରଣ ହୁଏ ଏବଂ ଆସୁରୀ ସମ୍ପଦ ବନ୍ଧନର କାରଣ ହୁଏ Ι ଏହି ଆସୁରୀ ସ୍ୱଭାବ ସମ୍ପନ୍ନ ଲୋକମାନେ ଧର୍ମ ଅଧର୍ମ ମଧ୍ୟରେ ପ୍ରଭେଦ ଦେଖନ୍ତି ନାହିଁ Ι ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ Ι କେବଳ ସ୍ତ୍ରୀ ଓ ପୁରୁଷ ମଧ୍ୟରେ କାମ ସମ୍ପର୍କରୁ ଏହି ଜଗତ ସୃଷ୍ଟି ହୋଇଛି ବୋଲି ମନେ କରନ୍ତି Ι ସେହି ନଷ୍ଟ ଆତ୍ମା ଅଳ୍ପବୁଦ୍ଧି, ମଳିନ ଚିତ୍ତ, ଉଗ୍ର କର୍ମା ଓ ଅହିତକାରୀ ଲୋକେ ଜଗତର କ୍ଷୟ ସାଧନା କରିଥାନ୍ତି Ι ସେମାନେ ଆମରଣ କାମ ଉପଭୋଗକୁ ପରମ ପୁରୁଷାର୍ଥ ବୋଲି ମନେ କରନ୍ତି Ι ଅହଂକାର, ବଳ, ଦର୍ପ, କାମ, କ୍ରୋଧକୁ ଆଶ୍ରୟ କରି ନିଜ ଓ ପର ଦେହରେ ଅବସ୍ଥିତ ମୋର ଅସ୍ତିତ୍ୱ ପ୍ରତି ଦ୍ୱେଷ ପ୍ରକାଶ କରନ୍ତି ଏବଂ ସନ୍ମାର୍ଗରେ ଗତି କରୁଥିବା ବ୍ୟକ୍ତିଙ୍କ ଉପରେ ଦୋଷାରୋପ କରିଥାନ୍ତି Ι ସେମାନେ ପର ଜନ୍ମରେ ବ୍ୟାଘ୍ର, ସର୍ପ ଆଦି ଆସୁରୀ ଯୋନିରେ ଜାତ ହୁଅନ୍ତି Ι ସେ ଜନ୍ମରେ ମଧ୍ୟ ମୋତେ ନ ଭଜି ସେମାନେ ଅଧିକରୁ ଅଧିକ ଅଧମ ଗତି ଅର୍ଥାତ କୃମୀ ଓ କୀଟ ଆଦି ଯୋନିରେ ଜନ୍ମ ହୁଅନ୍ତି Ι କାମ, କ୍ରୋଧ ଓ ଲୋଭ, ଏ ତିନୋଟି ନର୍କର ଦ୍ୱାର Ι ତେଣୁ ଏ ତିନିଟିରୁ ନିଜକୁ ଦୂରରେ ରଖିବା ବିଧେୟ Ι ଶାସ୍ତ୍ର ବିଧି ଅନୁସରଣ ନ କରି, ଶ୍ରଦ୍ଧାରେ ଯେଉଁମାନେ ଯଜ୍ଞାଦି ଅନୁଷ୍ଠାନ କରନ୍ତି, ସେମାନଙ୍କ ବିଷୟରେ ଅର୍ଜୁନ ଜାଣିବାକୁ ଚାହିଁବାରୁ ପ୍ରଭୁ ପରଂବ୍ରହ୍ମ ନାରାୟଣ ବୁଝାଇଲେ, “ଯେଉଁମାନଙ୍କର ସତ୍ତ୍ଵ ସ୍ୱଭାବ ଯେପରି ଥାଏ, ସେମାନଙ୍କର ଶ୍ରଦ୍ଧା ମଧ୍ୟ ସେହିପରି ସାତ୍ତ୍ୱିକୀ, ରାଜସୀ କିମ୍ବା ତାମସୀ ହୋଇଥାଏ Ι ସାତ୍ତ୍ୱିକୀ ଶ୍ରଦ୍ଧା ଥିବା ଲୋକେ ଦେବତାମାନଙ୍କୁ, ରାଜସୀ ଶ୍ରଦ୍ଧାଵାନ ଲୋକେ ଯକ୍ଷ ଓ ରକ୍ଷମାନଙ୍କୁ ଏବଂ ତାମସିକ ବ୍ୟକ୍ତିମାନେ ଭୂତ, ପ୍ରେତ ଆଦିଙ୍କୁ ପୂଜା କରିଥାନ୍ତି Ι ଶରୀରକୁ କଷ୍ଟ ଦେଇ ଯେଉଁମାନେ କୄଛ୍ର ଅଶାସ୍ତ୍ରୀୟ ସାଧନା କରି ବିଶେଷ ଲାଭ ଆଶାରେ ତପସ୍ୟା କରନ୍ତି, ସେମାନେ ଅସୁର ବ୍ରତଧାରୀ ବୋଲି କଥିତ ହୁଅନ୍ତି Ι ସାତ୍ତ୍ଵିକ ଆହାର ଆୟୁଷ,ଶକ୍ତି, ପବିତ୍ରତା ସୁଖ ଓ କ୍ଷୁଧା ବର୍ଦ୍ଧନ କରେ Ι ରାଜସିକ ମନୁଷ୍ୟମାନେ ପିତା, ଖଟା,ଲବଣାକ୍ତ, ଅତି ଉଷ୍ଣ, କଠିନ ଓ ଶୁଷ୍କ ଆହାର ପସନ୍ଦ କରନ୍ତି Ι ତାମସିକ ବ୍ୟକ୍ତିମାନେ ପଚା, ଅଇଁଠା, ବାସୀ,ଅଭକ୍ଷ ଖାଦ୍ୟରେ ସନ୍ତୋଷ ଲାଭ କରନ୍ତି Ι ଏହି ତିନି ପ୍ରକାରର ଶ୍ରଦ୍ଧାଥିବା ଲୋକଙ୍କର ଯଜ୍ଞ ବିଧାନ ମଧ୍ୟ ବିଭିନ୍ନ Ι ସାତ୍ତ୍ୱିକୀମାନେ ଫଳରେ ଆଶା ନ ରଖି, ବିଧି ଅନୁସାରେ ମନ ଓ ଚିତ୍ତ ସ୍ଥିର କରି ଯଜ୍ଞ କରନ୍ତି Ι ରାଜସିକ ଶ୍ରଦ୍ଧା ବିଶିଷ୍ଟ ଲୋକେ ଫଳ ଆଶା କରି, ଦମ୍ଭ ଓ ଅହଂକାର ପ୍ରଦର୍ଶନ ପାଇଁ ଯଜ୍ଞ କରନ୍ତି Ι ତାମସିକ ବ୍ୟକ୍ତିମାନେ ବିଧିହୀନ ଯଜ୍ଞ କରନ୍ତି, ଯେଉଁଥିରେ ଅନ୍ନ ଦାନର ବ୍ୟବସ୍ଥା ନ ଥାଏ, ପୁରୋହିତକୁ ଦକ୍ଷିଣା ଦିଆଯାଏ ନାହିଁ କିମ୍ବା କର୍ତ୍ତାର ଶ୍ରଦ୍ଧା ନ ଥାଏ Ι ତିନି ପ୍ରକାର ତପସ୍ୟା ଅଛି Ι ଶାରୀରିକ ତପ; ଏ ପ୍ରକାର ତପସ୍ୟାରେ ଦେବତା, ବ୍ରାହ୍ମଣ, ଗୁରୁ, ପଣ୍ଡିତବର୍ଗଙ୍କର ପୂଜା,ଶୌଚ,ସରଳତା ଓ ଅହିଂସା ଆଚରଣ କରାଯାଏ Ι ବାଙ୍ମୟ ତପ, ଯେଉଁଥିରେ ବ୍ୟକ୍ତି ଅନ୍ୟର ଉଦ୍ବେଗ ବୃଦ୍ଧି କଲା ପରି ବାକ୍ୟ କହେ ନାହିଁ, ସତ୍ୟ, ପ୍ରିୟ ଅଥଚ ହିତଜନକ ବାକ୍ୟ କହେ ଓ ଯଥାବିଧି ବେଦାଭ୍ୟାସ କରେ Ι ମାନସିକ ତପରେ ଚିତ୍ତ ଶୁଦ୍ଧି, ମନର ପ୍ରସନ୍ନତା, ଅକ୍ରୂରତା, ମୌନ ବା ବାକ୍ ସଂଯମ, କପଟଶୂନ୍ୟତା ଆଦି ଅନ୍ତର୍ଭୁକ୍ତ Ι ଯଜ୍ଞ ଭଳି ସାତ୍ତ୍ଵିକ, ରାଜସିକ ଓ ତାମସିକ ଲୋକେ ତିନି ପ୍ରକାରର ତପସ୍ୟା କରିଥାନ୍ତି Ι ପ୍ରଥମ ଶ୍ରେଣୀ ଆକାଂକ୍ଷା ରହିତ ଶ୍ରଦ୍ଧାଯୁକ୍ତ ତପ, ଦ୍ଵିତୀୟ ଶ୍ରେଣୀ ଆକାଂକ୍ଷିତ ଵସ୍ତୁଲାଭ ଆଶାରେ ଦମ୍ଭ ସହ ତପ Ι ତୃତୀୟ ଶ୍ରେଣୀ ଅର୍ଥାତ୍ ତାମସିକ ଲୋକେ ପରର ବିନାଶ ନିମନ୍ତେ ତପ କରିଥାନ୍ତି Ι ସେହିପରି ଦାନ ମଧ୍ୟ ଏହି ତିନି ଶ୍ରଦ୍ଧାଯୁକ୍ତ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ପ୍ରକାର ମାର୍ଗରେ କରନ୍ତି Ι ଦେଶକାଳ ପାତ୍ର ବିବେଚନାରେ ଅସମର୍ଥ ବ୍ୟକ୍ତିକୁ ଯେଉଁ ଦାନ ଦିଆଯାଏ ତାହା ସାତ୍ତ୍ଵିକ ଦାନ; ପ୍ରତ୍ୟୁପକାର ଆଶାରେ, ପରଲୋକରେ ସ୍ୱର୍ଗପ୍ରାପ୍ତି ପାଇଁ କଷ୍ଟ ସହି ଯେଉଁ ଦାନ ଦିଆଯାଏ ତାହା ରାଜସିକ ଦାନ ଏବଂ ଅପବିତ୍ର ସ୍ଥାନରେ, ଅଶୌଚ ଅବସ୍ଥାରେ, ଅନୁପଯୁକ୍ତ ପାତ୍ରରେ ଅବଜ୍ଞା ସହିତ ଯେଉଁ ଦାନ ଦିଆଯାଏ ତାହା ତାମସିକ ଦାନ ଅଟେ Ι ଓଁ ତତ୍ ସତ୍ ସକଳ ବେଦ ଯଜ୍ଞ ଓ ତପରେ ବ୍ୟବହୃତ ହୁଏ କାରଣ ଏ ତିନି ନାମ ପରମାତ୍ମା ବ୍ରହ୍ମଙ୍କର Ι |
ଅର୍ଜୁନ ପଚାରିଲେ, “ହେ ହୃଷୀକେଶ, ତ୍ୟାଗ ଓ ସନ୍ନ୍ୟାସ ମଧ୍ୟରେ ପାର୍ଥକ୍ୟ କଣ ? ଶ୍ରୀମଧୁସୂଦନ, କେଶୀ ନିସୂଦନ,ଦୀନବନ୍ଧୁ, ଦୈତ୍ୟାରି, ଜଗତ୍ପତି, ଜଗନ୍ନାଥ କହିଲେ,"ହେ ପାର୍ଥ, କାମ୍ୟ କର୍ମମାନଙ୍କର ତ୍ୟାଗକୁ ସନ୍ନ୍ୟାସ ଓ କର୍ମଫଳ ତ୍ୟାଗକୁ ତ୍ୟାଗ ବୋଲି କହନ୍ତି Ι କିନ୍ତୁ ଯଜ୍ଞ, ଦାନ, ତପସ୍ୟାଦି କର୍ମ ତ୍ୟାଗ କରିବା ଉଚିତ ନୁହେଁ Ι ଏ ସବୁ କର୍ମ ଜ୍ଞାନୀମାନଙ୍କର ଚିତ୍ତ ଶୁଦ୍ଧିରେ ସହାୟକ ହୋଇଥାଏ Ι ଏହିସବୁ କର୍ମ ମଧ୍ୟ କଲାବେଳେ ଆସକ୍ତିରୁ ଦୂରରେ ରହିବା ଓ କର୍ମଫଳ କାମନା ନ କରିବା ଉଚିତ Ι ଏ ପ୍ରକାର ତ୍ୟାଗ ସାତ୍ତ୍ଵିକ Ι କର୍ମ କରିବାକୁ କ୍ଳେଶ ମନେକରି, ପରିଶ୍ରମକୁ ଭୟ କରି ଯେଉଁମାନେ କର୍ମ ତ୍ୟାଗ କରନ୍ତି ସେମାନଙ୍କର ତ୍ୟାଗକୁ ରାଜସିକ ତ୍ୟାଗ ଓ ମୋହ ବଶତଃ ଯେଉଁ କର୍ମ ତ୍ୟାଗ କରାଯାଏ ତାକୁ ତାମସିକ ତ୍ୟାଗ କହନ୍ତି Ι କୌଣସି ଶରୀରଧାରୀ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ କର୍ମରହିତ ହେବା ଅସମ୍ଭବ Ι କିନ୍ତୁ ଉଚିତ କର୍ମ କରିବା ସଙ୍ଗେ ସଙ୍ଗେ ଯିଏ କର୍ମ ଫଳ ତ୍ୟାଗ କରିପାରେ, ସିଏ ହିଁ ପ୍ରକୃତ ତ୍ୟାଗୀ Ι ମୃତ୍ୟୁ ପରେ ପାପ, ପୂଣ୍ୟ ଓ ମିଶ୍ରିତ; ଏହିପରି ତିନି ପ୍ରକାର ଫଳ ମିଳିଥାଏ, କିନ୍ତୁ ତ୍ୟାଗୀମାନଙ୍କୁ ଏପରି କୌଣସି ଫଳ ଭୋଗ କରିବାକୁ ପଡେନାହିଁ Ι କୌଣସି କର୍ମ ସିଦ୍ଧିରେ ଅଧିଷ୍ଠାନ, କର୍ତ୍ତା, କରଣ, ଚେଷ୍ଟା ଓ ଦୈବ ;ଏହି ପାଞ୍ଚ ପ୍ରକାର କାରଣ ଥାଏ Ι ସମସ୍ତ କର୍ମ, ତାହା ନ୍ୟାୟ ହେଉ ବା ଅନ୍ୟାୟ ହେଉ, ତା ମୂଳରେ ଏହି ପାଞ୍ଚଟି ହେତୁ ଥାଏ Ι ହେ ଗାଣ୍ଡିବୀ," ଜ୍ଞାନ ମଧ୍ୟ ସତ୍ତ୍ଵ,ରଜ, ତମ ଅନୁସାରେ ତ୍ରିବିଧ ହୋଇଥାଏ Ι ସମସ୍ତଙ୍କଠାରେ ଏକ ଅବିଭକ୍ତ, ଅବିନାଶୀ ଓ ନିର୍ବିକାର ସତ୍ତା ଦେଖୁଥିବା ବ୍ୟକ୍ତିର ଜ୍ଞାନକୁ ସାତ୍ତ୍ଵିକ ଜ୍ଞାନ କୁହାଯାଏ Ι ରାଜସ ଜ୍ଞାନ ଥିବା ଲୋକେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ଠାରେ ଭିନ୍ନ ସତ୍ତା ଉପଲବ୍ଧି କରନ୍ତି Ι ଅଯୌକ୍ତିକ, ଅଯଥାର୍ଥ ଓ ତୁଚ୍ଛ ତାମସିକ ଜ୍ଞାନରେ ଲୋକେ ଗୋଟିଏ ଦେହ ବା ପ୍ରତିମାରେ ଗୋଟିଏ ଆତ୍ମା ସମ୍ପୂର୍ଣ୍ଣ ଭାବରେ ଥାଏ ବୋଲି ଅନୁଭବ କରନ୍ତି Ι ସେହିପରି କର୍ମ, କର୍ତ୍ତା, ବୁଦ୍ଧି ଓ ଧୃତି ମଧ୍ୟ ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ ହୋଇପାରେ Ι ହେ ଅର୍ଜୁନ,"ସୁଖ ମଧ୍ୟ ତିନି ପ୍ରକାର Ι ଯାହା ପ୍ରଥମରୁ ବିଷ ଭଳି ଲାଗିଲେ ମଧ୍ୟ ପରିଣାମ ଅମୃତତୁଲ୍ୟ ହୋଇଥାଏ, ତାହା ସାତ୍ତ୍ଵିକ ସୁଖ ଅଟେ Ι ରାଜସିକ ସୁଖ ବିଷୟ ଏବଂ ଇନ୍ଦ୍ରିୟ ସଂଯୋଗରୁ ଜାତ ହୁଏ Ι ଏହା ଆରମ୍ଭରେ ସୁଖଦାୟକ ହେଲେ ମଧ୍ୟ ପରିଣାମରେ ଦୁଃଖଦାୟକ ହୋଇଥାଏ Ι ଯେଉଁ ସୁଖ ପ୍ରଥମରେ ଓ ଶେଷରେ ଆତ୍ମା ମୋହକାରୀ, ନିଦ୍ରା, ଆଳସ୍ୟ ଓ ପ୍ରମୋଦରୁ ଜାତ, ତାହା ତାମସିକ ସୁଖ ଅଟେ Ι” ଶ୍ରୀହରି କହିଲେ, "ହେ ଧନଞ୍ଜୟ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରମାନଙ୍କର କର୍ମ ବିଭକ୍ତିକରଣ ମଧ୍ୟ ସ୍ୱଭାବଜନିତ ଗୁଣଦ୍ୱାରା ନିର୍ଣୀତ ହୋଇଅଛି Ι ବ୍ରାହ୍ମଣମାନେ ଶମ, ଦମ, ତପସ୍ୟା, ଶୌଚ, କ୍ଷମା, ସରଳତା ଜ୍ଞାନ, ବିଜ୍ଞାନ ଓ ଆସ୍ତିକ୍ୟ( ପରଲୋକରେ ବିଶ୍ୱାସ)କୁ କର୍ମ ଭାବରେ ଗ୍ରହଣ କରିଥାନ୍ତି Ι କ୍ଷତ୍ରିୟମାନେ ଶୌର୍ଯ୍ୟ, ତେଜ, ଧୃତି,କୌଶଳ, ଯୁଦ୍ଧରେ ପାରଙ୍ଗମତା,ଦାନ, ଈଶ୍ୱର ଭାବ ଆଦିରେ ଭୂଷିତ ଅଟନ୍ତି Ι କୃଷି,ପଶୁପାଳନ,ବାଣିଜ୍ୟାଦି କର୍ମ ବୈଶ୍ୟମାନଙ୍କର ଏବଂ ସେବା (ପରିଚର୍ଯ୍ୟାତ୍ମକ କ୍ରିୟା) ଶୂଦ୍ରମାନଙ୍କର ସ୍ୱାଭାବିକ କର୍ମ ବୋଲି ଧରାଯାଏ Ι ସ୍ୱାଭାବିକ କର୍ମ ତ୍ୟାଗ କରି ଭିନ୍ନ ଧର୍ମର କାର୍ଯ୍ୟ କରିବା ଅନୁଚିତ Ι ପରମ ପୁରୁଷ, ପୀତବାସ ଫାଲ୍ଗୁନୀଙ୍କୁ କହିଲେ, "ନିଜ ନିଜ କର୍ମରେ ଲିପ୍ତ ରହିଲେ ମନୁଷ୍ୟ ସେହି କର୍ମରେ ସିଦ୍ଧିଲାଭ କରିଥାଏ Ι ଯେତେ ଭଲରୂପେ ପରଧର୍ମାନୁଗତ କର୍ମ କଲେ ବି, ଏବଂ, ସ୍ୱଧର୍ମଗତ କର୍ମ କଲାବେଳେ ଦୋଷ ତ୍ରୁଟି ରହିଯାଉଥିଲେ ମଧ୍ୟ, ସ୍ୱଧର୍ମ ପାଳନ ଶ୍ରେୟସ୍କର Ι ହେ ବିବତ୍ସ, ନିରାସକ୍ତ ଓ ନିଷ୍ପୃହ ବ୍ୟକ୍ତି ଶରୀରକୁ ନିଜ ଆୟତ୍ତରେ ରଖି ନିରନ୍ତର ଅଭ୍ୟାସ ଦ୍ୱାରା ସିଦ୍ଧି ପ୍ରାପ୍ତ ହୁଅନ୍ତି Ι ଶୁଦ୍ଧ ବୁଦ୍ଧିଯୁକ୍ତହୋଇ, ଇନ୍ଦ୍ରିୟ ତଥା ମନ ଓ ଧ୍ୟାନଯୋଗରେ ପ୍ରବୃତ୍ତହୋଇ, ବୈରାଗ୍ୟ ଆଚରଣ କରି, ବଚନ ସଂଯମ କରି, ରାଗ, ଦ୍ୱେଷ ପରିତ୍ୟାଗ କରି, ଏକାନ୍ତରେ ବାସ କରି, ଅଳ୍ପାହାରରେ ସନ୍ତୁଷ୍ଟ ହୋଇ, ଅହଂକାର, ବଳ, ଦର୍ପ, କାମ, କ୍ରୋଧ ଓ ଲୋଭ ତ୍ୟାଗ କରି, ମମତ୍ୱ ଶୂନ୍ୟ ଓ ପ୍ରଶାନ୍ତ ଚିତ୍ତ ହୋଇଗଲେ ବ୍ରହ୍ମତ୍ୱ ପ୍ରାପ୍ତି ହୁଏ Ι ବ୍ରହ୍ମତ୍ୱ ପ୍ରାପ୍ତ ବ୍ୟକ୍ତିମାନେ ସର୍ବଜୀବରେ ସମଦର୍ଶିତା ଲାଭ କରନ୍ତି ଓ ମୋର ପରା ଭକ୍ତ ହୋଇଯାନ୍ତି Ι ହେ ଶ୍ଵେତବାହନ, ହେ ବିଜୟ, ମତ୍ ପରାୟଣ ହୁଅ Ι ମୋଠାରେ ଚିତ୍ତ ନିବେଶ କର Ι ମୋତେ ସର୍ବକର୍ମ ସମର୍ପଣ କରିଦିଅ Ι ତୁମେ ଇଛା କରି ମଧ୍ୟ ଏ ଯୁଦ୍ଧରୁ ନିବୃତ୍ତ ହୋଇ ରହିପାରିବ ନାହିଁ, କାରଣ ତୁମର ସହଜାତ କ୍ଷତ୍ରିୟ ପ୍ରବୃତ୍ତି ତୁମକୁ ଯୁଦ୍ଧ କରିବାପାଇଁ ବାଧ୍ୟ କରିବ Ι ଏବେ ମୋହ ତୁମକୁ ଯୁଦ୍ଧରୁ ନିବର୍ତ୍ତାଉଛି, ପରେ ସ୍ୱଭାବ ଜାତ ପ୍ରବୃତ୍ତି ତୁମକୁ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇବ Ι ଈଶ୍ୱର ସମସ୍ତଙ୍କ ହୃଦୟରେ ଅବସ୍ଥାନ କରି ତାଙ୍କ ଇଛା ଅନୁସାରେ ଶରୀର ରୂପକ ଯନ୍ତ୍ରଟିକୁ ଘୁରାଉଥାନ୍ତି Ι ତୁମେ ମଧ୍ୟ ସେହି ଈଶ୍ୱରଙ୍କର ଅର୍ଥାତ ମୋର ଶରଣାପନ୍ନ ହୁଅ Ι ମୋଠାରେ ମନୋନିବେଶ କର Ι ମୋତେ ଭକ୍ତି କର, ପୂଜା କର, ନମସ୍କାର କର ଓ ମୋଠାରେ ହିଁ ଶରଣ ନିଅ Ι "ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣମ୍ ବ୍ରଜ, ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ” Ι ତୁମର ଶୋଚନା କରିବାର ଆବଶ୍ୟକତା ନାହିଁ Ι ଯାହା କିଛି ପାପର ଆଶଙ୍କା କରୁଛ, ସେ ସମସ୍ତ ପାପରୁ ମୁଁ ତୁମ୍ଭଙ୍କୁ ଉଦ୍ଧାର କରିବି Ι ହେ ଅର୍ଜୁନ, ଏହି ସବୁ ଗୂଢ ତତ୍ତ୍ୱ ତୁମର ହୃଦୟଙ୍ଗମ ହେଲା ତ ? ଏହି ଗୀତା ତତ୍ତ୍ୱ ଅଭକ୍ତ, ଅଶ୍ରଦ୍ଧ,ଅଧର୍ମୀ ଓ ମୋତେ ନିନ୍ଦା କରୁଥିବା ବ୍ୟକ୍ତିମାନଙ୍କୁ କହିବ ନାହିଁ Ι କିନ୍ତୁ ମୋର ଭକ୍ତମାନଙ୍କୁ ଗୀତା ତତ୍ତ୍ୱ କହୁଥିବା ବ୍ୟକ୍ତି ପରମପଦ ପ୍ରାପ୍ତ ହୁଏ Ι ଗୀତା ଅଧ୍ୟୟନ ଓ ଗୀତା ଶ୍ରବଣରେ ମଧ୍ୟ ପୂଣ୍ୟ ଲାଭ ହୁଏ Ι ତୁମେ ଅତି ଗୂଢ ଏହି ଗୀତାର ମର୍ମ ଅତ୍ୟନ୍ତ ଧ୍ୟାନ ସହକାରେ ଶୁଣିଲ Ι ଏବେ ମୋତେ କୁହ, ତୁମର ଅଜ୍ଞାନତା ଦୂର ହୋଇ ମୋହ ନାଶ ହେଲା ତ ? ଅର୍ଜୁନ କହିଲେ,"ହେ ମହାବାହୁ, ହେ ସର୍ବଶକ୍ତିମାନ୍, ହେ ଜଗଦୀଶ୍ଵର , ମୋର ସମ୍ପୂର୍ଣ୍ଣ ଭାବରେ ମୋହରାଶି ଦୂରୀଭୂତ ହୋଇଛି Ι ଏବେ ମୁଁ ଆପଣଙ୍କ ଆଜ୍ଞା ପାଳନ କରି ଯୁଦ୍ଧ କରିବି Ι" |
No comments:
Post a Comment
Note: only a member of this blog may post a comment.