INDIA-AMERICA-BRITISH

WELCOME TO KATY INDIA- ALL THE ARTICLES WRITTEN BY LOKANATH MISHRA ON INDIAN-AMERICAN -BRITISH - SOCIAL AND CULTURAL MATTERS ARE BEING RE PRODUCED IN THIS BLOG POST
LORD SHRI JAGANNATH & LORD SHRI KRISHNA ARE MAHA VISHNU.SHRI JAGANNATH IS BEING WORSHIPED THROUGHOUT THE WORLD.

Saturday, 21 October 2023

BHAGABATA GEETA (contd)

 


“ହେ ଶ୍ଵେତବାହନ, ଏ ପର୍ଯ୍ୟନ୍ତ ମୁଁ ତୁମକୁ ସାଂଖ୍ୟ ଯୋଗ ବିଷୟରେ କହିଲି Ι ଏବେ ତୁମକୁ କର୍ମ ଯୋଗ ବିଷୟରେ କହିବି Ι କର୍ମ ଯଦି ନିଷ୍କାମ ଅର୍ଥାତ୍ ସ୍ୱାର୍ଥରହିତ ହୋଇଥାଏ ତେବେ ସେ କର୍ମ ନିଷ୍ଫଳ ହୁଏ ନାହିଁ କିମ୍ବା ସେ କର୍ମରେ ବିଘ୍ନ ମଧ୍ୟ ଘଟେ ନାହିଁ Ι ଅତ୍ୟଳ୍ପ ନିଷ୍କାମ କର୍ମ ମଧ୍ୟ ମନୁଷ୍ୟକୁ ସାଂସାରିକ ଭୟରୁ ରକ୍ଷା କରେ Ι ନିଷ୍କାମ କର୍ମ ଓ ସକାମ କର୍ମ ମଧ୍ୟରେ ପାର୍ଥକ୍ୟ ଅଛି Ι କାମନାରହିତ କର୍ମରେ ଈଶ୍ୱର ପ୍ରାପ୍ତି ର ଆଶା ଥାଏ Ι ସକାମ କର୍ମ କେବଳ ଇନ୍ଦ୍ରିୟମାନଙ୍କର ପରିତୃପ୍ତି ପାଇଁ, ଭୋଗ ବିଳାସ ଓ ଐଶ୍ଵର୍ଯ୍ୟ ଅର୍ଜନ ପାଇଁ ତଥା ଆସକ୍ତିର ଅଧୀନ ହେବାକୁ କରାଯାଇଥାଏ Ι "କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ, ମା କର୍ମ ଫଳ ହେତୁର୍ଭୁର୍ମାତୁ ତେ ସ୍ତ୍ୱଙ୍ଗ କର୍ମଣି" Ι ହେ ପାର୍ଥ, ତୁମର ଅଧିକାର କେବଳ କର୍ମ ଉପରେ ଅର୍ଥାତ ତୁମେ କର୍ମ କରିବା ପାଇଁ ସ୍ୱତନ୍ତ୍ର Ι ପରିଣାମ ତୁମ ଆୟତ୍ତରେ ନାହିଁ Ι ଫଳ ପାଇଁ ଆସକ୍ତି ନ ରଖି, କର୍ମର ସିଦ୍ଧି ବା ଅସିଦ୍ଧିକୁ ସମାନ ଜ୍ଞାନ କରି କର୍ମ କରିଯାଅ Ι ହେ କୌନ୍ତେୟ, ଅପ୍ରାପ୍ତ ବସ୍ତୁ ପ୍ରାପ୍ତି ଆଶାକୁ କ୍ଷେମ ଓ ପ୍ରାପ୍ତ ବସ୍ତୁର ରକ୍ଷଣକୁ ଯୋଗକ୍ଷେମ କହନ୍ତି Ι ୟେ ଉଭୟ ପ୍ରବୃତ୍ତିରୁ ନିବୃତ୍ତ ହେଲେ ହିଁ ଆସକ୍ତିଶୂନ୍ୟ ହୋଇପାରିବ Ι କର୍ମର ସିଦ୍ଧି ଓ ଅସିଦ୍ଧିକୁ ସମାନ ମନେ କରିବାକୁ ଅର୍ଥାତ ସମବୁଦ୍ଧିକୁ ହିଁ 'ଯୋଗ' କୁହାଯାଏ Ι ଅନାସକ୍ତ ରହି କର୍ମ ସମ୍ପାଦନାର ସାଧନାକୁ 'ଯୋଗ' କୁହାଯାଏ Ι ଏହି ସମ ବୁଦ୍ଧିରେ ଯେଉଁ ଜ୍ଞାନୀମାନେ କର୍ମ କରନ୍ତି ସେମାନେ ମୋକ୍ଷ ପ୍ରାପ୍ତ ହୁଅନ୍ତି Ι” ଧନଞ୍ଜୟ ପ୍ରଶ୍ନ କଲେ, “ବୁଦ୍ଧିକୁ ସ୍ଥିର ରଖିପାରୁଥିବା ସ୍ଥିତପ୍ରଜ୍ଞ ଲୋକର ଲକ୍ଷଣ କଣ ?” କେଶବ କହିଲେ ,ଯେଉଁ ବ୍ୟକ୍ତି ସମସ୍ତ କାମନାକୁ ପରିତ୍ୟାଗ କରି ଆତ୍ମାକୁ ପରମାତ୍ମା ସହିତ ଯୋଗ କରିବା ଆନନ୍ଦରେ ମଗ୍ନ ହୁଏ, ସେହି ବ୍ୟକ୍ତିକୁ ସ୍ଥିତପ୍ରଜ୍ଞ ବୋଲି କୁହାଯାଏ Ι “ଦୁଃଖେଷ୍ୱନୁଦ୍ବିଗ୍ନମନାଃସୁଖେଷୁ ବିଗତ ସ୍ପୃହଃ’ ବୀତରାଗ,ଭୟ କ୍ରୋଧଃ ସ୍ଥିତଧିର୍ମୁନିରୁଚ୍ୟତେ Ι ଅର୍ଥାତ୍ ଦୁଃଖରେ ବିଚଳିତ ହେଉ ନ ଥିବ, ସୁଖରେ ଉତ୍ଫୁଲ୍ଲିତ ହେଉ ନ ଥିବ, ଅନୁରାଗ (ପ୍ରେମ), ଭୟ ଓ କ୍ରୋଧ ବର୍ଜନ କରିଥିବା ଋଷିପ୍ରତିମ ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କହନ୍ତି Ι କଚ୍ଛପ ଯେପରି ଏକ ଦୃଢ ଖୋଳପା ଅନ୍ତରାଳରେ ତାର ସମସ୍ତ ଶରୀରକୁ ଲୁଚାଇ ରଖେ, ସେହିପରି ଯେଉଁ ବ୍ୟକ୍ତି କାମ କ୍ରୋଧ, ଲୋଭ, ମୋହ ଆଦିରୁ ଇନ୍ଦ୍ରିୟମାନଙ୍କୁ ସଂହରଣ[ଆୟତ୍ତ] କରନ୍ତି, ତାଙ୍କୁ ସ୍ଥିତପ୍ରଜ୍ଞ କହନ୍ତି Ι କିନ୍ତୁ ହେ ଅର୍ଜୁନ, ଏହା ଏତେ ସହଜ ନୁହେଁ Ι ମୋକ୍ଷପାଇଁ ଯତ୍ନଶୀଳ ଏହି ବିବେକୀମାନଙ୍କ ମନକୁ ବିକ୍ଷୋଭକାରୀ ଇନ୍ଦ୍ରିୟମାନେ ବାରମ୍ବାର ବିପଥଗାମୀ କରାଇବାକୁ ଚେଷ୍ଟା କରୁଥାନ୍ତି Ι ପୁରୁଷୋତ୍ତମ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ”ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିଥିବା ବ୍ୟକ୍ତିଙ୍କର ଚିତ୍ତ ସର୍ବଦା ପ୍ରସନ୍ନ ଥାଏ ଓ ସେ ସର୍ବଦା ଶାନ୍ତିରେ ବାସ କରନ୍ତି Ι ଯେଉଁ ବ୍ୟକ୍ତି ଅଜିତେନ୍ଦ୍ରିୟ ଅର୍ଥାତ୍ ଇନ୍ଦ୍ରିୟମାନଙ୍କର ଅଧୀନ, ସେ ସର୍ବଦା ଅପ୍ରସନ୍ନ, ଅଶାନ୍ତ ଓ ଅସୁଖୀ ଥାଏ Ι ମୋକ୍ଷଲାଭ ତା ପାଇଁ ସ୍ୱପ୍ନ Ι ଅର୍ଜୁନ ପଚାରିଲେ, "ପ୍ରଭୁ, ଆପଣଙ୍କ ମତରେ ଯଦି କର୍ମଯୋଗଠାରୁ ବୁଦ୍ଧି ବା ଜ୍ଞାନ ଯୋଗ ଶ୍ରେଷ୍ଠ ,ତେବେ ମୋତେ ଏହି ହିଂସାଯୁକ୍ତ ଯୁଦ୍ଧରେ ପ୍ରବୃତ୍ତ ହେବାପାଇଁ କହିବାର କାରଣ କଣ ?କେଶବ କହିଲେ,"କର୍ମ ନ କରି ତୁମେ ତତ୍ତ୍ୱ ଜ୍ଞାନ ପ୍ରାପ୍ତ ହୋଇ ପାରିବ ନାହିଁ କିମ୍ବା ତୁମ୍ଭର ଚିତ୍ତ ଶୁଦ୍ଧି ହୋଇ ପାରିବ ନାହିଁ Ι ହସ୍ତ, ପଦ ଆମର କର୍ମେନ୍ଦ୍ରିୟ Ι ସେମାନଙ୍କୁ ଲଗାଇ ଆମେ ଯଦି ଇନ୍ଦ୍ରିୟମାନଙ୍କର ଉଦ୍ଦେଶ୍ୟ ପୂରଣ କରନ୍ତି ତେବେ ଆମକୁ ମୂଢଆତ୍ମା ଓ କପଟୀ ବୋଲି କୁହାଯିବ Ι ଇନ୍ଦ୍ରିୟମାନଙ୍କୁ ଆୟତ୍ତ କରି ଯିଏ କର୍ମ ସମ୍ପାଦନା କରିପାରେ ସିଏ ହିଁ ଶ୍ରେଷ୍ଠ ବ୍ୟକ୍ତି Ι ତୁମକୁ କର୍ମ କରିବାକୁ ହେବ Ι କର୍ମ ନ କରି ତୁମେ ନିଜର ଜୀବିକା ନିର୍ବାହ କରିପାରିବ ନାହିଁ Ι ତୁମର କର୍ମାନୁଷ୍ଥାନରୁ ଇତର ଜନମାନେ ପ୍ରେରଣା ଲାଭ କରିବେ କାରଣ ମହାଜନୋ ଯେନ ଗତଃ ସ ପନ୍ଥା Ι ମୋତେ ଦେଖ Ι ମୋର ଆବଶ୍ୟକ ନାହିଁ କିଛି କର୍ମ କରିବା Ι ବିନା କର୍ମରେ ମୋତେ ସବୁ କିଛି ପ୍ରାପ୍ତ ହୋଇ ପାରିବ Ι କିନ୍ତୁ ମୁଁ କର୍ମ କରୁଛି, କାରଣ ମୋତେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ହେବ Ι ଅଜ୍ଞାନୀ ଲୋକେ ଆସକ୍ତ ରହି କର୍ମ କରନ୍ତି, ଜ୍ଞାନୀ ଲୋକେ ଅନାସକ୍ତ ରହି ଲୋକମାନଙ୍କୁ ସ୍ୱଧର୍ମ ଅନୁସରଣ କରି କର୍ମ କରିବାକୁ ପ୍ରେରଣା ଦେଇଥାନ୍ତି Ι ହେ ପାର୍ଥ, ସମସ୍ତ କର୍ମ ମୋଠାରେ ସମର୍ପଣ କର Ι ମୋ ଅଧୀନରେ କର୍ମ କରୁଛ ବୋଲି ଚିନ୍ତା କରି ନିଷ୍କାମ, ବନ୍ଧନ ଶୂନ୍ୟ ଓ ଶୋକଶୂନ୍ୟ ହୋଇ ଯୁଦ୍ଧ କର Ι "ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ୱନୁଷ୍ଠିତାତ୍. ସ୍ଵଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ" Ι ତୁମେ ଯେତେ ଉତ୍ତମ ଭାବରେ ଅନ୍ୟଧର୍ମ ପାଳନ କରିଲେ ମଧ୍ୟ, ଅଳ୍ପ କିଛି ନିଜ ଧର୍ମ ପାଳନ କରିବା ତା ଠାରୁ ବହୁଗୁଣରେ ଶ୍ରେୟସ୍କର ଅଟେ Ι ବରଂ ନିଜ ଧର୍ମରେ ମୃତ୍ୟୁ ବରଣ କରିବ, ପରଧର୍ମରେ ପ୍ରବୃତ୍ତ ହେବନାହିଁ Ι ତାହା ଭୟାବହ ଅଟେ Ι କିରୀଟୀ ପ୍ରଶ୍ନ କଲେ, “ହେ କରୁଣାକର,ଜଗତ୍ପତେ, ମଣିଷକୁ ପାପ ଆଚରଣ କରିବାକୁ କିଏ ବାଧ୍ୟ କରିଥାଏ ?" ଭଗବାନ କହିଲେ, "କାମ ହେଉଛି କ୍ରୋଧର କାରଣ Ι ଏହା ରଜୋଗୁଣରୁ ଉତ୍ପନ୍ନ, ଏହି କାମନା ହିଁ ମନୁଷ୍ୟର ମୋକ୍ଷ ମାର୍ଗର ଶତ୍ରୁ ଭଳି କାର୍ଯ୍ୟ କରିଥାଏ Ι ଇନ୍ଦ୍ରିୟ, ମନ ଓ ବୁଦ୍ଧି କାମନାର ଉତ୍ପତ୍ତି ସ୍ଥଳ ବୋଲି କୁହାଯାଏ Ι ଏମାନେ ଦେହଧାରୀଙ୍କୁ ମୋହିତ କରି ପାପ କରାଇଥାନ୍ତି Ι ଦେହ ଅପେକ୍ଷା ଇନ୍ଦ୍ରିୟମାନଙ୍କର ସ୍ଥାନ ଉଚ୍ଚରେ କାରଣ ଦେହ ଇନ୍ଦ୍ରିୟମାନଙ୍କର ବଶୀଭୂତ Ι ଇନ୍ଦ୍ରିୟଠାରୁ ମନ ଶ୍ରେଷ୍ଠ, କାରଣ ମନ ଇନ୍ଦ୍ରିୟମାନଙ୍କୁ ପ୍ରବର୍ତ୍ତାଇ ପରିଚାଳନା କରେ Ι ମନ ଅପେକ୍ଷା ବୁଦ୍ଧି ଶ୍ରେଷ୍ଠ କାରଣ ବୁଦ୍ଧି ଦ୍ୱାରା ମନ ନିୟନ୍ତ୍ରିତ ହୁଏ Ι ବୁଦ୍ଧିଠାରୁ ଯିଏ ଶ୍ରେଷ୍ଠ ତାକୁ 'ଆତ୍ମା' ବୋଲି ସ୍ଵୀକାର କରାଯାଇଛି Ι ତେଣୁ ବୁଦ୍ଧି ଦ୍ୱାରା କାମ ରୂପକ ଶତ୍ରୁକୁ ବିନାଶ କର ଓ ଆତ୍ମା ଉପରେ ଆସ୍ଥା ସ୍ଥାପନ କର Ι କର୍ମ କର ସବ୍ୟସାଚୀ, ଅସ୍ତ୍ର ଧାରଣ କର ଓ ଯୁଦ୍ଧ କର Ι

No comments:

Post a Comment

Note: only a member of this blog may post a comment.