ସର୍ବୋପନିଷଦୋ ଗାବୋ, ଦୋଗ୍ଧା ଗୋପାଳନନ୍ଦନଃ, ପାର୍ଥୋ ଵତ୍ସଃ ସୁଧୀର୍ଭୋକ୍ତା, ଦୁଗ୍ଧମ୍ ଗୀତାମୃତମ୍ ମହତ୍ Ι ସମସ୍ତ ଉପନିଷଦ ଗାଭୀ ସଦୃଶ, ଦୁଗ୍ଧ ହେଉଛି ଗୀତା ଏବଂ ଗୋଦୋହନ କରୁଛନ୍ତି କୃଷ୍ଣ Ι ବତ୍ସା ତୁଲ୍ୟ ପାର୍ଥ ସେହି ଦୁଗ୍ଧପାନ କରୁଛନ୍ତି Ι ପ୍ରଭୁ ପୀତବାସ କହିଲେ, ହେ ଅର୍ଜୁନ, "ତୁମର ଓ ମୋର ଜନ୍ମ ବାର ବାର ହୋଇଯାଇଛି Ι ମୋର ଜ୍ଞାନ ଜାଗ୍ରତ ଥିବାରୁ ମୋର ସେ ସବୁ ମନେ ଅଛି Ι ତୁମର ଜ୍ଞାନ ସୁପ୍ତ ଥିବାରୁ ତୁମେ ଭୁଲି ଯାଇଛ Ι ପ୍ରକୃତରେ ମୋର ଜନ୍ମ ନାହିଁ, ମୃତ୍ୟୁ ନାହିଁ, କିନ୍ତୁ ମୁଁ ମାୟାର ଅଧୀନ ହୋଇ ଜନ୍ମଲାଭ କରିଥାଏଁ Ι "ଯଦା ଯଦା ହି ଧର୍ମସ୍ୟ ..... "ଯେତେବେଳେ ଧର୍ମର ହାନି ହୋଇ ପାପ ଭାରା ଅଧିକ ହୋଇଯାଏ, ଦୁଷ୍ଟମାନଙ୍କୁ ସଂହାର କରି, ସାଧୁଜନମାନଙ୍କୁ ପରିତ୍ରାଣ କରିବାକୁ ମୋତେ ଏହିପରି ଜନ୍ମଲାଭ କରିବାକୁ ପଡିଥାଏ Ι ମୋର ଏହି ଜନ୍ମ ଓ ମୃତ୍ୟୁ ସମ୍ପର୍କରେ ପ୍ରକୃତ ଜ୍ଞାନ ଥିବା ବ୍ୟକ୍ତିମାନେ ମୋକ୍ଷ ପ୍ରାପ୍ତ ହୁଅନ୍ତି Ι "ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହଂ Ι" ଯିଏ ଯେଉଁପରି ମୋତେ ଭଜନ କରନ୍ତି ,ମୁଁ ସେମାନଙ୍କୁ ସେହିପରି ଅନୁଗ୍ରହ କରିଥାଏଁ ମନୁଷ୍ୟ ମୋତେ ଯେଉଁ ରୂପରେ ଆରାଧନା କରେ, ମୁଁ ତାକୁ ସେହି ରୂପରେ ପ୍ରାପ୍ତ ହୋଇଥାଏଁ Ι ହେ ପାର୍ଥ, ମୁଁ ଗୁଣ କର୍ମ ଅନୁଯାୟୀ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଚାରି ପ୍ରକାର ବର୍ଣ୍ଣ ସୃଷ୍ଟି କରିଅଛି Ι କିନ୍ତୁ ଏହି ବର୍ଣ୍ଣବିଭାଗର ମୁଁ କର୍ତ୍ତା ହେଲେ ମଧ୍ୟ ଆସକ୍ତିଶୂନ୍ୟତା ହେତୁ ମୋତେ ଅକର୍ତ୍ତା ବୋଲି ଜ୍ଞାନ କର Ι ହେ ଅର୍ଜୁନ, "କର୍ମ, ବିକର୍ମ ଓ ଅକର୍ମ ତ୍ରୟର ଅର୍ଥ ଅତି ଗହନ Ι ଶାସ୍ତ୍ରାନୁମୋଦିତ ବିହିତ କର୍ମ କରିବା ହେଉଛି କର୍ମ, ନିଷିଦ୍ଧ କର୍ମ କରିବା ହେଉଛି ବିକର୍ମ ଓ ଆଦୌ କର୍ମ ନ କରିବା ହେଲା ଅକର୍ମ Ι କାମନା ରହିତ କର୍ମ ,ତାହା ଶରୀର ଯାତ୍ରାର ଉଦ୍ଦେଶ୍ୟରେ ହୋଇଥିଲେ ମଧ୍ୟ ସେଥିରେ ପାପ ନାହିଁ Ι ଯେ ବୈରଭାବନା ତ୍ୟାଗ କରିଛି, ଶୀତ ତାପକୁ ସମାନ ଜ୍ଞାନ କରିଛି ଓ ସିଦ୍ଧି ଅସିଦ୍ଧି ମଧ୍ୟରେ ପ୍ରଭେଦ ଦେଖୁନାହିଁ, ସେ କର୍ମ କରୁଥିଲେ ମଧ୍ୟ ସଂସାର ବନ୍ଧନରେ ଆବଦ୍ଧ ହୁଏ ନାହିଁ Ι ଜ୍ଞାନ ସହିତ ସଂଯୋଗକୁ ଯଜ୍ଞ କହନ୍ତି Ι ବିଭିନ୍ନ ପ୍ରକାର ଯଜ୍ଞ ଅଛି Ι କେହି ଦ୍ରବ୍ୟ ଦାନ ଦ୍ୱାରା ଦ୍ରବ୍ୟ ଯଜ୍ଞ, କେହି ତପ ଅନୁଷ୍ଠାନ ଦ୍ୱାରା ତପଯଜ୍ଞ, ନିଷ୍ଠାର ସହ ଵ୍ରତାଦି ପାଳନ ଦ୍ୱାରା ବ୍ରତ ଯଜ୍ଞ, ଚିତ୍ତର ଏକାଗ୍ରତା ପାଇଁ ଯୋଗଯଜ୍ଞ ତଥା ବେଦାଧ୍ୟୟନ, ବେଦ ଶ୍ରବଣ ଓ ମୋକ୍ଷଲାଭ ଆଦି ସମ୍ପର୍କରେ ଯତ୍ନଶୀଳ ହୋଇ ସ୍ୱାଧ୍ୟାୟ ଜ୍ଞାନଯଜ୍ଞ କରନ୍ତି Ι ପ୍ରାଣାୟାମ ମଧ୍ୟ ଏକ ଯଜ୍ଞ Ι ଅପାନ ବାୟୁ, ଅର୍ଥାତ୍ ଅଧୋଗତିଶୀଳ ବାୟୁକୁ ପ୍ରାଣବାୟୁ ଅର୍ଥାତ ଉର୍ଦ୍ଧ୍ୱ ଗତିଶୀଳ ବାୟୁରେ ମିଶାଇ ଏକ କରିବା ଏବଂ ରେଚକ(ପ୍ରାଣବାୟୁର ନିଃସାରଣ) ଓ କୁମ୍ଭକ(ପ୍ରାଣବାୟୁର ଧାରଣ) ଦ୍ୱାରା ପ୍ରାଣବାୟୁ ଓ ଅପାନ ବାୟୁର ଗତିରୋଧ କରିବା ଏହି ପ୍ରାଣାୟାମର ଅନ୍ତର୍ଭୁକ୍ତ Ι ଜ୍ଞାନ ପ୍ରାପ୍ତ ହେବା ପାଇଁ ପ୍ରଥମେ କର୍ମ ଯୋଗରେ ସିଦ୍ଧି ପ୍ରାପ୍ତି ଆବଶ୍ୟକ Ι "ଶ୍ରଦ୍ଧାବାନ୍ ଲଭତେ ଜ୍ଞାନଂ, ତତ୍ପରଃ ସଂଯତେନ୍ଦ୍ରିୟଃ Ι" ଶ୍ରଦ୍ଧା ଥିବା ବ୍ୟକ୍ତି ହିଁ ଜ୍ଞାନ ଲାଭ କରେ Ι ଇନ୍ଦ୍ରିୟମାନଙ୍କୁ ଆୟତ୍ତରେ ରଖି ସଂଯମୀ ହୋଇଥିବା ବ୍ୟକ୍ତି ଜ୍ଞାନ ଲାଭ କରି ଅକ୍ଷୟ ଶାନ୍ତି ଲାଭ କରନ୍ତି Ι ଅଜ୍ଞ, ଶ୍ରଦ୍ଧାହୀନ ଓ ସନ୍ଦେହୀ ବ୍ୟକ୍ତି ଧ୍ୱଂସ ପ୍ରାପ୍ତ ହୁଏ ଏବଂ ଇହ,ପର ଉଭୟ ଲୋକରେ ସୁଖ ପାଏ ନାହିଁ Ι ଯେ ଯୋଗଦ୍ୱାରା ସମସ୍ତ କର୍ମକୁ ପରମେଶ୍ଵରଙ୍କଠାରେ ଅର୍ପଣ କରିଛନ୍ତି, ସେହି ଅନୁରକ୍ତ ବ୍ୟକ୍ତିକୁ କର୍ମଫଳ ଆବଦ୍ଧ କରିପାରେ ନାହିଁ Ι ଏଣୁ ହେ ପାର୍ଥ, ତୁମ୍ଭେ ନିଜର ଜ୍ଞାନ ଦ୍ୱାରା ହୃଦୟର ଅଜ୍ଞାନତାକୁ ଛେଦନ କର ଓ କର୍ମ ଯୋଗ ଆଚରଣ କର Ι ଉଠ ଅର୍ଜୁନ, ଉଠ Ι ଯୁଦ୍ଧ କର Ι ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ଭଗବାନ କହିଲେ, "ଅଭିମାନ ଶୂନ୍ୟ, ଅହଂକାର ଶୂନ୍ୟ ,ଦାମ୍ଭିକତା ବର୍ଜିତ, ଅହିଂସା ,ସହନଶୀଳତା, ସରଳତା, ସଦ୍ ଗୁରୁସେବା, ଶୌଚ, ସନ୍ମାର୍ଗ, ଆତ୍ମସଂଯମ, ଇନ୍ଦ୍ରିୟସଂଯମ, ନିରହଂକାର, ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି ଜନିତ ଦୁଃଖ ଓ ଦୋଷର ପୁନଃ ପୁନଃ ଆଲୋଚନାକୁ ଜ୍ଞାନ ସାଧନ କୁହାଯାଏ Ι ପ୍ରକୃତି ଓ ପୁରୁଷର ସମ୍ପର୍କ ବିଷୟରେ କହିବାକୁ ଯାଇ ସେ କହିଲେ ଯେ ,ପୁରୁଷ ଶରୀରରେ ଅବସ୍ଥାନ କରି ପ୍ରକୃତିଜାତ ଗୁଣ ଭୋଗ କରେ Ι କିନ୍ତୁ ଏହା ଦେହରେ ଥାଇ ସୁଦ୍ଧା ପ୍ରକୃତିଠାରୁ ଭିନ୍ନ Ι ଜଗତ ବିସ୍ତାର ସମ୍ପର୍କରେ ସେ କହିଲେ ଯେ, ସ୍ଥାବର ଜଙ୍ଗମ ଆଦି ଯେଉଁମାନେ ଜନ୍ମ ହୁଅନ୍ତି, ପ୍ରକୃତି ସେମାନଙ୍କର ମାତା ଓ ସର୍ବଶକ୍ତିମାନ ଈଶ୍ୱର ନିଜେ ବୀଜ ଦାତା ପିତା ଅଟନ୍ତି Ι ଗୁଣତ୍ରୟ ବିଷୟରେ ମଧ୍ୟ ପ୍ରଭୁ ଅର୍ଜୁନଙ୍କୁ ବୁଝାଇଲେ Ι ସତ୍ତ୍ଵ ଗୁଣ ନିର୍ମଳ, ତେଣୁ ଉଜ୍ଜ୍ୱଳ ଓ ଶାନ୍ତ Ι ତାହା ବ୍ୟକ୍ତିକୁ ସୁଖୀ ଓ ଜ୍ଞାନୀ କରାଏ Ι ରଜଗୁଣ ତୃଷ୍ଣା ଓ ଆସକ୍ତି ଜାତ କରାଏ Ι ଏହା କର୍ମରୂପକ ବନ୍ଧନରେ ଆବଦ୍ଧ କରେ Ι ତମୋଗୁଣ ଅଜ୍ଞାନରୁ ଜାତ ଓ ମୋହ ମାୟାର କାରଣ Ι ଏହା ଦେହକୁ ପ୍ରମୋଦ, ଆଳସ୍ୟ ଓ ନିଦ୍ରାରେ ଅଭିଭୂତ କରେ Ι ଏମାନଙ୍କ ମଧ୍ୟରୁ କେତେବେଳେ ସତ୍ତ୍ଵ, କେତେବେଳେ ରଜ ଓ କେତେବେଳେ ତମୋଗୁଣ ପ୍ରବଳ ହୋଇଥାନ୍ତି Ι ସତ୍ତ୍ଵଗୁଣ ପ୍ରବଳ ହେଲେ ଜ୍ଞାନାତ୍ମକ ଭାବ ପ୍ରକାଶ ପାଏ Ι ରଜଗୁଣ ପ୍ରବଳ ହେଲେ ଲୋଭ ଅଶାନ୍ତି, ସ୍ପୃହା ଓ ଦ୍ଵନ୍ଦ, ତଥା ତମୋଗୁଣ ପ୍ରାବଲ୍ୟରେ ଵିଵେକହୀନତା, ଉଦ୍ୟମହୀନତା, ପ୍ରମାଦ ଓ ମୋହ ଉତ୍ପନ୍ନ ହୋଇଥାଏ Ι ସତ୍ତ୍ଵଗୁଣ ପ୍ରାବଲ୍ୟ ସମୟରେ ମୃତ୍ୟୁ ହେଲେ ସ୍ୱର୍ଗପ୍ରାପ୍ତି ହୁଏ Ι ରଜଗୁଣ ପ୍ରାବଲ୍ୟରେ ମୃତ୍ୟୁ ହେଲେ କର୍ମାସକ୍ତ ହୋଇ ମନୁଷ୍ୟ ଯୋନିରେ ଜନ୍ମ ହୁଅନ୍ତି ଓ ତମୋଗୁଣ ଅଧିକ ଥିବା ବ୍ୟକ୍ତିର ଦେହାବସାନ ହେଲେ ପଶୁ ଆଦି କୁଳରେ ଜନ୍ମ ହୁଏ Ι ସାତ୍ତ୍ୱିକ ବ୍ୟକ୍ତି ଉର୍ଦ୍ଧ୍ୱ ଲୋକ ଅର୍ଥାତ୍ ଦେବଲୋକ, ରାଜସିକ ବ୍ୟକ୍ତି ମଧ୍ୟ ଲୋକ ଅର୍ଥାତ୍ ମନୁଷ୍ୟ ଲୋକ ଏବଂ ତାମସିକ ବ୍ୟକ୍ତି ଅଧୋଗତି ପ୍ରାପ୍ତ ହୁଅନ୍ତି Ι |
INDIA-AMERICA-BRITISH
Saturday, 21 October 2023
BHAGABATA GEETA (contd)
Subscribe to:
Post Comments (Atom)
No comments:
Post a Comment
Note: only a member of this blog may post a comment.